ଭୁବନେଶ୍ୱର ଦାୟିତ୍ୱରେ ୬ ବରିଷ୍ଠ ଆଇଏଏସ୍ ଅଫିସର

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏକ ନୂଆ ନିଷ୍ପତି ନେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକ ପରେ ହୋଇଥିବା ଏହି ନିଷ୍ପତି ପ୍ରକାରେ ଭୁବନେଶ୍ୱର ମହାନଗର ନିଗମକୁ ତିନୋଟି ଜୋନ୍‌ରେ ବିଭକ୍ତ କରି ୬ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ବରିଷ୍ଠ ଅଧିକାରୀମାନେ ବିଏମ୍‌ସି ଅଚଂଳରେ ସଂକ୍ରମଣ ରୋକିବା ପାଇଁ କାର୍ଯ୍ୟ କରିବେ।

ଭୁବନେଶ୍ୱର ଉତର ଜୋନ୍‌ର ଦାୟିତ୍ୱରେ ଏସ୍‌ସି/ଏସଟି ଉନ୍ନୟନ ସଚିବ ରଞ୍ଜନା ଚୋପ୍ରା ଓ ଶକ୍ତି ସଚିବ ବିଷ୍ଣୁପଦ ସେଠୀ ଥିବା ବେଳେ ଦକ୍ଷିଣ-ପୂର୍ବ ଜୋନ୍ ଦାୟିତ୍ୱ ଅବକାରୀ ସଚିବ ସୁଶୀଲ ଲୋହାନୀ ଓ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ରଙ୍କୁ ଦିଆଯାଇଛି। ସେହିଭଳି ଦକ୍ଷିଣ-ପଶ୍ଚିମ ଜୋନ୍‌ର ଦାୟିତ୍ୱ ଭାସ୍କର ଜ୍ୟୋତି ଶର୍ମା ଓ  ଅର୍ଥ ସଚିବ ଅଶୋକ ମୀନାଙ୍କୁ ଦିଆଯାଇଛି।

ଏହି ଅଧିକାରୀମାନେ କଂଟେନମେଂଟ ଦାୟିତ୍ୱରେ ରହିବେ। ଭୁବନେଶ୍ୱରରେ ଯେପରି ଏହି ରୋଗ ନ ବ୍ୟାପିବ, ସେଥିପ୍ରତି ଦୃଷ୍ଟି ରଖିବେ। ଯେଉଁ ଅଚଂଳରେ କରୋନା ପଜିଟିଭ୍ ମିଳବ ସେଠାରେ କଣ୍ଟାକ୍ଟ ଟ୍ରେସିଂ ଓ ଘରକୁ ଘର ସର୍ଭେ କାର୍ଯ୍ୟର ତଦାରଖ କରିବେ। ସେହିଭଳି କଂଟେନମେଂଟ ଅଚଂଳକୁ ଜରୁରୀ ସାମଗ୍ରୀ ଯୋଗାଣ କଥା ବି ବୁଝିବେ।

ସୂଚନାଯୋଗ୍ୟ, ଖବର ଲେଖାଯିବା ସୁଦ୍ଧା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବ୍‌ସାଇଟ୍‌ରେ ଦିଆଯାଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ୬୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୪୧ ଜଣ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୧୮ ଜଣ ସୁସ୍ଥ ହୋଇସାରିଛନ୍ତି ଓ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ମୋଟ ୫୫୩୭ ଜଣଙ୍କ ସାମ୍ପଲ୍ ଟେଷ୍ଟ୍ କରାଯାଇଥିବା ବେଳେ ୫୪୭୭ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।