ଭୋପାଳ: ମଧ୍ୟପ୍ରଦେଶରେ ବୁଧବାର ରାତି ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି । ଏକ ଚଳନ୍ତା ଯାତ୍ରୀବାହୀ ବସ ନଦୀକୁ ଖସିପଡ଼ିବାରୁ ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଏହି ଘଟଣା ଘଟିବା ପରେ ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଂଚିଛନ୍ତି ।
ସ୍ଥାନୀୟ ଲୋକଙ୍କର ସହାୟତାରେ ନଦୀ ଭିତରୁ କିଛି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆହତ ଲୋକଙ୍କୁ ବସ ଭିତରୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ କେଉଁଥି ପାଇଁ ଦୁର୍ଘଟଣା ଘଟିଲା ଯଦିଓ ଜଣାପଡ଼ି ନାହିଁ, ତଥାପି ଚାଳକ ନିୟନ୍ତ୍ରଣ ହରାଇବାରୁ ବସଟି ନଦୀ ଭିତରକୁ ପଶି ଯାଇଥିବା ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ ରାଇସେନ ଜିଲ୍ଲାରେ ୨୦୧୧ ଅଗଷ୍ଟ ୧ରେ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେଦିନ ସୋଲେନ ବର୍ଣ୍ଣା ନଦୀକୁ ବସଟି ଖସିପଡ଼ିବାରୁ ଏଥିରେ ୨୬ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ନିଖୋଜ ହୋଇଥିଲେ । ପରେ ନିଖୋଜମାନଙ୍କୁ ଉଦ୍ଧାର କରାଯାଇଥିଲା । ମା’ ତାରିଣୀ ନାମକ ଏକ ଘରୋଇ ବସ ୬୦ ଜଣ ଯାତ୍ରୀଙ୍କୁ ନେଇ ନିଜର ଗନ୍ତବ୍ୟ ପଥରେ ବାହାରିଥିଲା । ରାୟସେନରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ବସର ଟାୟାର ଫାଟିବାରୁ ଦୁର୍ଘଟଣା ଘଟିଥିଲା ।