ମହାରାଷ୍ଟ୍ର ନିର୍ବାଚନ: ଶିବସେନା ଜାରି କଲା ଘୋଷଣା ପତ୍ର

ମୁମ୍ବାଇ:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶିବସେନା ଆଜି ନିଜର ଘୋଷଣା ପତ୍ର ବା ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଏଠାରେ ବିଜେପି ଓ ଶିବସେନା ମିଳିତ ଭାବେ ନିର୍ବାଚନ ଲଢୁଛନ୍ତି । କିନ୍ତୁ ଘୋଷଣା ପତ୍ରକୁ ନେଇ ଉଭୟ ଦଳ ମଧ୍ୟରେ ସହମତି ପ୍ରକାଶ ନପାଇବାରୁ ଶିବସେନା ନିଜର ଘୋଷଣା ପତ୍ର ଜାରି କରିଛି ।

ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ, ତାଙ୍କ ପୁତ୍ର ତଥା ବର୍ଲି ବିଧାନସଭା ପ୍ରାର୍ଥୀ ଆଦିତ୍ୟ ଠାକରେ, ଉପନେତା ପ୍ରିୟଙ୍କା ଚତୁର୍ବେଦୀଙ୍କ ଉପସ୍ଥିତିରେ ଏହି ଘୋଷଣାପତ୍ର ଜାରି କରାଯାଇଥିଲା ।

ସୂତ୍ରାନୁସାରେ, ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ଆର କଲୋନି ଓ ନାଣାର ରିଫାଇନାରୀ ଭଳି ପ୍ରସଙ୍ଗକୁ ନେଇ ସହମତି ପ୍ରକାଶ ପାଇନଥିଲା । ଶିବସେନା ୧୦ ଟଙ୍କାରେ ଭୋଜନ ଓ ଏକ ଟଙ୍କାରେ ଚେକଅପ୍ ବଳି ଲୋଭନୀୟ ଯୋଜନା ନିଜ ଇସ୍ତାହାରରେ ସ୍ଥାନ ଦେବାକୁ ଚାହୁଁଥିଲା ।

ସୂଚନାଯୋଗ୍ୟ, ଗତକାଲି ଆମ ଆଦମୀ ପାର୍ଟି ମହାରାଷ୍ଟ୍ର ବିଧାନସଭା ପାଇଁ ନିଜର ଘୋଷଣା ପତ୍ର ଜାରି କରିଥିଲା । ଦଳ ଏଠାରେ ୨୪ଟି ଆସନରେ ନିର୍ବାଚନ ଲଢୁଛି । ଆପ୍ ନିଜର ଘୋଷଣା ପତ୍ରରେ ମହାରାଷ୍ଟ୍ରକୁ ଏକ ବିଫଳ ରାଜ୍ୟ କହି ସମସ୍ୟାର ସମାଧାନ ପାଇଁ ଦିଲ୍ଲୀ ମଡେଲ ଲାଗୁ କରିବ ବୋଲି କହିଥିଲା ।