ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶର ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ଛୋଟ କୃଷକମାନଙ୍କ ପାଇଁ ସ୍କିମ ଘୋଷଣା କରିଛନ୍ତି ।
ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସ୍କିମ ଅଧିନରେ ୩୫୦୦ କୋଟି ଟଙ୍କାର ବ୍ୟୟବରାଦ । ଏହି ସ୍କିମ ଅନୁସାରେ ପ୍ରବାସୀ ଶ୍ରମିକଙ୍କୁ ଆସନ୍ତା ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟଶସ୍ୟ ମିଳିବ ।
ପ୍ରତିବ୍ୟକ୍ତି ମାସକୁ ୫ କିଲୋ ଚାଉଳ ବା ଗହମ ଓ ପ୍ରତି ଶ୍ରମିକ ପରିବାରକୁ ମାସକୁ ୧ କିଲୋ ଡାଲି ଆସନ୍ତା ୨ ମାସ ପର୍ଯ୍ୟନ୍ତ ପାଇପାରିବେ । ଏହି ସୁବିଧା ପାଇଁ ସେମାନଙ୍କୁ କୌଣସି ରାସନକାର୍ଡ ଦେଖାଇବାକୁ ପଡ଼ିବ ନାହିଁ । ଏହି ସ୍କିମ ବାବଦରେ ସରକାର ୩୫୦୦ କୋଟି ବ୍ୟୟ କରିବେ ଓ ଏହା ଦ୍ୱାରା ୮ କୋଟି ପ୍ରବାସୀ ଶ୍ରମିକ ଉପକୃତ ହେବେ ।
ଏହା ଛଡ଼ା ୨୩ଟି ରାଜ୍ୟରେ ୬୭ କୋଟି ହିତାଧିକାରୀଙ୍କ ପାଇଁ ଗୋଟିଏ ଦେଶ-ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହେବ । ଏହାର ଅର୍ଥ ହେଉଛି ସେମାନେ ଦେଶର ଯେଉଁ ରାଜ୍ୟରେ ଥାଆନ୍ତୁ ନା କାହିଁକି ସେମାନେ ଖାଦ୍ୟଶସ୍ୟ ପାଇପାରିବେ । ଅଗଷ୍ଟ ସୁଦ୍ଧା ଦେଶରେ ୮୩ ପ୍ରତିଶତ ହିତାଧିକାରୀ ବା ୬୭ କୋଟି ହିତାଧିକାରୀ ଏହାର ଲାଭ ଉଠାଇପାରିବେ ।