କୋଇଲା କ୍ଷେତ୍ରରେ ଭିତିଭୂମି ବିକାଶ ଲାଗି ୫୦ ହଜାର କୋଟିର ନିବେଶ

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ୨୦ ଲକ୍ଷ କୋଟିର ମେଗା ଆର୍ଥିକ ପ୍ୟାକେଜର ୪ର୍ଥ ପର୍ଯ୍ୟାୟ ପଦକ୍ଷେପଗୁଡ଼ିକ ସଂପର୍କରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ମୁଖ୍ୟତଃ ୮ଟି ପ୍ରମୁଖ ଶିଳ୍ପ କ୍ଷେତ୍ର ଲାଗି ସେ ସଂସ୍କାରମୂଳକ ପଦକ୍ଷେପର ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବିଭିନ୍ନ ରାଜ୍ୟରେ ଥିବା ଔଦ୍ୟୋଗିକ କ୍ଲଷ୍ଟର ଗୁଡ଼ିକର ଭିତିଭୂମି ବିକାଶ, ସଂଯୋଗୀକରଣ କାର୍ଯ୍ୟ ଅଗ୍ରାଧିକାର ଭିତିରେ କରାଯିବ ।
କୋଇଲା ଓ ଖଣି ଖନନ କ୍ଷେତ୍ରକୁ ଅଧିକ ଘରୋଇ ପୁଞ୍ଜି ଆକର୍ଷିତ କରିବାକୁ ସେ କେତେକ ଘୋଷଣା କରିଛନ୍ତି । ଏହା ମାଧ୍ୟମରେ କୋଇଲା ଖଣି କ୍ଷେତ୍ରରେ ଘରୋଇ କମ୍ପାନିମାନଙ୍କ ଅଂଶଗ୍ରହଣକୁ ରାଜସ୍ୱ ଆବଣ୍ଟନ ଭିତ୍ତିରେ ପ୍ରେତ୍ସାହିତ କରାଯିବ । ଏହାଛଡ଼ା କୋଇଲା କ୍ଷେତ୍ରରେ ଭିତ୍ତିଭୂମି ବିକାଶ ଲାଗି ୫୦ ହଜାର କୋଟିର ସେ ନିବେଶ ପ୍ରସ୍ତାବ ଦେଇଛନ୍ତି ।

ଖଣି କ୍ଷେତ୍ରରେ ଲିଜ ହସ୍ତାନ୍ତରକୁ ଅନୁମତି ଦିଆଯିବ ଓ ବଳକା ଖଣିଜପଦାର୍ଥକୁ ବିକ୍ରି କରିବାକୁ ଅନୁମତି ଦିଆଯିବ । ସେହିପରି କ୍ୟାପ୍ଟିଭ ଓ ଅଣକାପ୍ଟିଭ ଖଣି ମଧ୍ୟରେ କୌଣସି ତଫାତ ରହିବ ନାହିଁ । ପ୍ରାୟ ୫୦୦ଟି ଖଣି ନିଲାମ ପାଇଁ ରଖାଯିବ ।

ଅନ୍ୟପକ୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ନିବେଶକୁ ପ୍ରେତ୍ସାହିତ କରିବାକୁ ବିଦେଶୀ ପୁଞ୍ଜି ନିବେଶ ସୀମାକୁ ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧି କରାଯିବ । ଦେଶକୁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ କରିବାକୁ ଉଦ୍ୟମ କରାଯିବ ।