‘ପରୀ’ ମୃତ୍ୟୁ ଘଟଣାର ତଦନ୍ତ ଲାଗି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି ଗଠନ : ହାଇକୋର୍ଟଙ୍କୁ ଜଣାଇଲେ ସରକାର

ଓଡ଼ିଶା ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ବାବଧାନରେ ଏସଆଇଟି ତଦନ୍ତ କରିବ

ଭୁବନେଶ୍ୱର: ନୟାଗଡ଼ର ବହୁଚର୍ଚ୍ଚିତ ‘ପରୀ’ ହତ୍ୟା ଘଟଣା ଓଡ଼ିଶା ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ବାବଧାନରେ ଏସଆଇଟି ତଦନ୍ତ କରିବା ଦିଗରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର।  ବରିଷ୍ଠ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ପରୀ ହତ୍ୟା ମାମଲାର ତଦନ୍ତ କରିବେ। କ୍ରାଇମବ୍ରାଞ୍ଚ ଏସ୍‌ପି ଆରକେ ଦୋରା, କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ଆରସି ଥମ୍ବା, କ୍ରାଇମ୍‌ବ୍ରାଞ୍ଚ ଇନ୍‌ସପେକ୍ଟର ନରେନ୍ଦ୍ର ବେହେରା ଏବଂ ମମତା ପଣ୍ଡା ଏହି ଟିମ୍‌ରେ ରହିଛନ୍ତି। ଏହି ୫ ଜଣିଆ ଟିମ୍ ଗଠନ ନେଇ ହାଇକୋର୍ଟଙ୍କୁ ସରକାର ଅବଗତ କରିଛନ୍ତି। ଆଜି ଗଠନ ହୋଇଥିବା ଏସଆଇଟି ବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବାବଦରେ ଓଡିଶା ହାଇକୋର୍ଟର ରେଜିଷ୍ଟ୍ରାରଙ୍କୁ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

ହାଇକୋର୍ଟର ରେଜିଷ୍ଟ୍ରାରଙ୍କୁ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଡ. ସନ୍ତୋଷ ବାଲା ଲେଖିଥିବା ଚିଠିରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସରକାରଙ୍କ ଏହି ପ୍ରସ୍ତାବ ନେଇ ଅବଗତ କରିବା ସହ ତାଙ୍କର ଅନୁମତି କ୍ରମେ ଏସଆଇଟି ତଦନ୍ତକୁ ତଦାରଖ କରିବାକୁ ଜଣେ କ‌ାର୍ଯ୍ୟରତ ବିଚାରପତିଙ୍କୁ ଦାୟିତ୍ବ ଦେବାକୁ ଅନୁରୋଧ କରାଯାଇଛି । ମୁଖ୍ୟବିଚାରପତି ଏହାକୁ ଅନୁମୋଦନ କରିବା ପରେ ଏ ସଂପର୍କିତ ସୂଚନା ଗୃହ ବିଭାଗକୁ ଜଣାଇଦେବାକୁ ପତ୍ରରେ ହାଇକୋର୍ଟର ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରାଯାଇଛି।

ନୟାଗଡର ଯଦୁପୁର ଗ୍ରାମର ଅମ୍ରିତା ସ୍ନେହା ସାହୁ(ପରୀ)ର ମୃତ୍ୟୁର ତଦନ୍ତ ଏହି ଏସଆଇଟି କରିବ ଢ ଏସଆଇଟି ଟିମ ଗଠନ ବିଜ୍ଞପ୍ତି ସଂପର୍କରେ ସୂଚନା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ବିଧାନସଭାରେ ଦେଇଥିଲେ ।

SIT team will investigate Nayagada pari death  case