ବଡ଼ବୋହୂଙ୍କୁ ହତ୍ୟା କଲେ ଦେଢ଼ଶୁର

ନୂଆପଡା: ବଡବୋହୂଙ୍କୁ ହତ୍ୟା କରିଛନ୍ତି ଦେଢ଼ଶୁର । ଏଭଳି ଘଟଣା ଘଟିଛି ନୂଆପଡା ଜିଲ୍ଲାର ବେଲୁଟୁକୁରି ଥାନା ଅନ୍ତର୍ଗତ ଧନୋରା ଗ୍ରାମରେ । ଜମି ବିବାଦକୁ କେନ୍ଦ୍ର କରି ଏହି ଘଟଣା ଘଟିଛି । ଏହି ଘଟଣାର ଅଭିଯୁକ୍ତ ଦେଢ଼ଶୁର ପ୍ରତାପ ସିଂ ରଣାଙ୍କୁ ପୋଲିସ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ବେଲଟୁକୁରି ଥାନା ଅନ୍ତର୍ଗତ ଧନୋରା ଗ୍ରାମର ଜଗତିନୀ ବାଈ ରଣା (୬୦) ଜମିରେ କାମ କରୁଥିବା ବେଳେ ଦେଡ଼ଶୁର ପ୍ରତାପ ସିଂ ରଣା ଏକ ଟାଙ୍ଗିଆରେ ତାଙ୍କୁ ଚୋଟ ପକାଇଥିଲେ। ଏହଫଳରେ ଘଟଣାସ୍ଥଳରେ ହିଁ ଭାଇବୋହୂ ଜଗତିନୀ ବାଈଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସଂପର୍କରେ ଖବର ପାଇ ବେଲଟୁକୁରି ଥାନା ପୋଲିସ ପହଂଚି ଶବ ଜବତ କରିବା ସହିତ ଅଭିଯୁକ୍ତ ପ୍ରତାପ ସିଂ ରଣାଙ୍କୁ ଗିରଫ କରିଥିଲେ ।

ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି ଯେ ଉଭୟ ପରିବାର ଭିତରେ ଜମିଜମା ବିବାଦ ଥିଲା, ଯାହାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି।

ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଜଗତିନୀ ବାଈ ରଣାଙ୍କର ମୃତ ଦେହ ହସ୍ତାନ୍ତର କରାଯାଇଛି ବୋଲି ବେଲଟୁକୁରି ଥାନା ଅଧିକାରୀ ଶୁଭଙ୍କର ସେଠୀ କହିଛନ୍ତି। ଆଜି ଅଭିଯୁକ୍ତ ପ୍ରତାପ ସିଂ ରଣାଙ୍କୁ କୋର୍ଟ ଚାଲଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।