ଶିଶିର ସାରସ ମେଳାକୁ ଉଦଘାଟନ କରି ହଳଦୀ ଓ ଚାଙ୍ଗୁଡି କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରେ ଶିଶିର ସାରସ -୨୦୨୦ ମେଳାକୁ ସଂଧ୍ୟାରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜଧାନୀର ୟୁନିଟ୩ ପ୍ରଦର୍ଶନୀ ପଡିଆରେ  ଆୟୋଜିତ ହୋଇଥିବା ଏହି ମେଳାକୁ ପଞ୍ଚାୟତୀରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ଷ୍ଟଲ ସବୁୁ ବୁଲି ଦେଖିଛନ୍ତି ।  କେବଳ ଦେଖି ନାହାନ୍ତି କାରୀଗରଙ୍କ ସହ କଥା ହେବା ସହ ଘରକରଣା ଜିନିଷ ବି କିଣିଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଘର ଲାଗି ମେଳାରୁ କନ୍ଧମାଳର ହଳଦୀ ଓ ସବାଇ ଘାସର ଚାଙ୍ଗୁଡି ଘରକୁ ଆଣିଛନ୍ତି ନବୀନ ।

ୟୁନିଟ-୩ ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ଶିଶିର ସରସ ମେଳା -୨୦୨୦ । ଶିଶିର ସାରସ ମେଳାର ଉଦଘାଟନି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ପଞ୍ଚାୟତରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା,ପଞ୍ଚାୟତରାଜ ସଚିବ ଦେଓରଞ୍ଜନ କୁମାର ସିଂହ ଏବଂ ଓରମାସ ସିଇଓ ସ୍ମୃତି ରଂଜନ ପ୍ରଧାନ ଉପସ୍ଥିତ ଥିଲେ ।

ମେଳାରେ ରାଜ୍ୟର ୩୦ ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀ ଓ କାରିଗରଙ୍କ ଦ୍ବାରା ତିଆରି ସାମଗ୍ରୀ ବି ଏଠାରେ ମିଳିବ । ପଞ୍ଚାୟତରାଜ ବିଭାଗ ଏବଂ ଓରମାସର ମିଳିତ ସହଯୋଗରେ ହେଉ ଥିବା ମେଳାରେ ୩ ଶହ ଷ୍ଟଲ ସ୍ଥାନ ପାଇଛି । ୧୧ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୨୫ ରାଜ୍ୟର ଗ୍ରାମୀଣ ଉତ୍ପାଦନକାରୀ ସାମଗ୍ରୀ ସହ ବିଭିନ୍ନ ଆର୍ଟ କ୍ରାଫଟର ସମ୍ଭାର ଦେଖିବାକୁ ମିଳିଛି ।

ବିଭିନ୍ନ ସ୍ବୟଂସହାୟକ ଗୋ​‌ଷ୍ଠି ଓ କାରିଗର ମାନେ ଯୋଗ ଦେଇଛନ୍ତି ମେଳାରେ । ପାରମ୍ପରିକ ବସ୍ତ୍ର ଠାରୁ ଧରି ଶୀତ ବସ୍ତ୍ର ,କାଠ, କାଚ,ମାଟି ,ସୋଲ ଆଦି ସାମଗ୍ରୀ ସହ ଶୁଖୁଆ ମଧ୍ୟ ରହିଛି ଏଠାରେ । ତେବେ ଚଳିତ ବର୍ଷ ପ୍ରଥମ ଥର ଲାଗି ସ୍ବତନ୍ତ୍ର ଭାବେ ସବାଇ ଘାସରେ ପ୍ରସ୍ତୁତ ଜୁଏଲାରୀ ସ୍ଥାନ ପାଇଛି ।


ତେବେ ଏଭଳି ମେଳା କାରିଗର ଓ ସ୍ବୟଂସହାୟିକା ଗୋଷ୍ଠି ମାନଙ୍କୁ ସ୍ବାବଲମ୍ବି ହେବାଲାଗି ଏକ ବଜାର ଯୋଗାଇ ଦେଇଥିବା କୁହନ୍ତି ଏମାନେ । ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ସାମଗ୍ରି ବିକି ବେସ୍ ଖୁସି ଅନୁଭବ କରିଥିବା ବ୍ୟବସାୟୀମାନେ କହିଛନ୍ତି । ମେଳାର ମଧ୍ୟସ୍ଥଳରେ ରହିଛି ଧୁପକାଠି,ମାଟିପାତ୍ର ଆଦି ପ୍ରସ୍ତୁତି କରାଯିବାର ଲାଇଭ ଡେମନଷ୍ଟ୍ରେସନ୍ । ଏଥି ସହ ଖାଦ୍ୟ ପ୍ରେମିଙ୍କ ଲାଗି ସ୍ବତନ୍ତ୍ର ଭାବେ ୧୨ଟି ଷ୍ଟଲକୁ ନେଇ ରହିଛି ଫୁଡକୋର୍ଟ । ଯେଉଁଠି ମିଳିବ ସବୁ ରାଜ୍ୟର ପାରମ୍ପରିକ ଖାଦ୍ୟ ।