ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିରିଡି ବନ୍ଦ; ସାଇବାବା ମନ୍ଦିର ଖୋଲା

ଶିରିଡି: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦେଇଥିବା ବିବାଦୀୟ ବୟାନକୁ ନେଇ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିରିଡି ବନ୍ଦ କରାଯାଇଛି । ମାତ୍ର ସାଇବାବାଙ୍କ ମନ୍ଦିର ଭକ୍ତଙ୍କ ପାଇଁ ପୂର୍ବଭଳି ଖୋଲା ରହିଛି ବୋଲି ଜଣାପଡିଛି ।

ତେବେ ଏହି ବନ୍ଦରେ କେବଳ ବ୍ୟବସାୟ ପ୍ରତିଷ୍ଠାନ ହିଁ ବନ୍ଦ ରହିବ ଏବଂ ସାଇ ବାବାଙ୍କ ମନ୍ଦିର ଖୋଲା ରହିବ ବୋଲି କୁହାଯାଇଛି । ବନ୍ଦକୁ ଟାଳିବା ପାଇଁ ପ୍ରଶାସନ ପକ୍ଷରୁ ଜୋର୍‌ଦାର ପ୍ରୟାସ ଜାରି ରହିଛି। ଶିରିଡ଼ି ବାସିନ୍ଦାମାନେ କହିଛନ୍ତି ଯେ ସେମାନେ ପାଥରିରେ ବିକାଶ କାର୍ଯ୍ୟକୁ ବିରୋଧ କରୁନାହାନ୍ତି, କିନ୍ତୁ ଏହାକୁ ସାଇ ବାବାଙ୍କ ଜନ୍ମସ୍ଥଳୀ ଭାବେ ଘୋଷଣାକୁ ବିରୋଧ କରୁଛନ୍ତି। ସାଇ ବାବାଙ୍କ ଜନ୍ମ, ଧର୍ମ ଆଦିକୁ ନେଇ କୌଣସି ସ୍ପଷ୍ଟ ତଥ୍ୟ ନଥିବା ବେଳେ ପାଥରିକୁ ଜନ୍ମସ୍ଥାନ ବୋଲି ଘୋଷଣା କଲେ ଏହାର ଜୋର୍‌ଦାର ବିରୋଧ ଜାରି ରହିବ ବୋଲି ସେମାନେ କହିଛନ୍ତି।

ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଦେଇଥିବା ବୟାନକୁ ବିଜେପି ଜୋର୍‌ଦାର ବିରୋଧ କରିଛି ଏବଂ ଏହା ବିରୋଧରେ ଆଇନଗତ ପଦକ୍ଷେପ ନେବ ବୋଲି କହିଛି। ମାମଲା ଜଟିଳ ରୂପ ନେଉଥିବାରୁ ଆଜି ଅପରାହ୍ନରେ ଶିବସେନା ନେତା ନିଲମ ଗୋହେ ଶିରିଡି ପହଂଚି ବନ୍ଦ ପାଳନ ନକରିବାକୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ମାମଲାରେ ଖୁବଶୀଘ୍ର ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବେ ବୋଲି ସେ କହିଛନ୍ତି।