କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ରାଜ୍ୟ ସଂସ୍କୃତି ବଭାଗ ପକ୍ଷରୁ ୧ ଲକ୍ଷ ଟଙ୍କାର ସହାୟତା

କରୋନାରୁ ସୁସ୍ଥ ପରେ ଏବେ ଫୁସଫୁସ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି ତପୁ

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ରାଜ୍ୟ ସଂସ୍କୃତି ବିଭାଗ ସହାୟତା । ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଲା ରାଜ୍ୟ ସଂସ୍କୃତି ବିଭାଗ । ତପୁଙ୍କ ଚିକିତ୍ସା ନେଇ ରାଜ୍ୟ କଳାକାର ଓ୍ୱେଲଫେୟାର ଫଣ୍ଡ ପକ୍ଷରୁ ଏହି ସୟାହତା ଯୋଗାଇ ଦିଆଯାଇଛି ।

କରୋନାରୁ ସୁସ୍ଥ ପରେ ଏବେ ଫୁସଫୁସ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି ତପୁ । ଭୁବନେଶ୍ୱରର ସମ୍ ହସ୍‌ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି । ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁନି । ସେପଟେ ତପୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦେବାକୁ ପରିବାର ଲୋକ ଅନୁରୋଧ କରିଛନ୍ତି । ଆଧୁନିକ ଓଡ଼ିଆ ସଂଗୀତ ଜଗତରେ ଜଣାଶୁଣା ନାଁ ତପୁ ମିଶ୍ର । ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକ ଓ ଶ୍ରୋତାଙ୍କୁ ଦେଇଛନ୍ତି ବହୁ ହିଟ୍ ଗୀତ । ତପୁଙ୍କ ଅସୁସ୍ଥତା ଖବର ଶୁଣି ଶୁଭେଛୁ ମାନେ ତପୁ ମିଶ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଜଣେ ଭର୍ସାଟାଇଲ ଫିମେଲ ପ୍ଲେ- ବ୍ୟାକ୍ ସିଙ୍ଗର ଭାବେ ସେ ହାତେଇଛନ୍ତି ବହୁ ପ୍ରଶଂସା । ଯେତେବେଳେ ମୁମ୍ବାଇ ଓ କୋଲକାତାରୁ ସିଙ୍ଗରମାନେ ଆସି ଓଡ଼ିଆ ଗୀତ ଗାଉଥିଲେ, ସେତେବେଳେ ତପୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ରଖିଥିଲେ ପାଦ । ପନ୍ଦର ବର୍ଷ ହୋଇଥିବା ବେଳେ ତପୁ ଆରମ୍ଭ କରିଥିଲେ କ୍ୟାରିଅର୍ । କଭର ସଙ୍ଗ୍ ହେଉ ଅବା ଷ୍ଟୁଡିଓ ଭର୍ସନ ପ୍ରତିଟି ଗୀତକୁ ସେ ମନ ଦେଇ ଗାଇଥାନ୍ତି । ରଙ୍ଗବତୀ ଗୀତର ଗୁରୁ ପ୍ରଭୁଦତ୍ତ ପ୍ରଧାନ ଓ ଜ୍ଞାନ ରଞ୍ଜନ ମହାପାତ୍ରଙ୍କ ଠାରୁ କ୍ଲାସିକାଲ ଗୀତ ଶିକ୍ଷା କରିଛନ୍ତି ତପୁ ମିଶ୍ର । ଏହାପରେ ବିଶିଷ୍ଟ ଗୀତିକାର, ନିର୍ଦ୍ଦେଶକ ସ୍ୱରୂପ ନାୟକ ତାଙ୍କୁ ଓଲିଉଡ୍‌ରେ ବ୍ରେକ ଦେଇଥିଲେ ।

ତାଙ୍କ ସହିତ ସେ କୋଲକାତା ଯାଇ ଅନେକ ଡବିଂ କରିଛନ୍ତି । ଫିଲ୍ମ କୁଳନନ୍ଦନରେ ସେ ପ୍ରଥମ ଗୀତ ଗାଇଥିଲେ । ସେହିଠାରୁ ତାଙ୍କର କଣ୍ଠଶିଳ୍ପୀ ଜୀବନର ଜୟଯାତ୍ରା ଆଗକୁ ବଢ଼ିଚାଲିଛି । ତପୁ ମିଶ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କ ଫ୍ୟାନମାନେ ତାଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଯୁଗର କୃଷ୍ଣ ସୁଦାମା, ମାତୃଶକ୍ତି, ଯେ ପାଞ୍ଚେ ପରମନ୍ଦ, ଆଇ ଲଭ୍ ୟୁ ଓ ଚକୋଲେଟ ଭଳି ବହୁ ଫିଲ୍ମରେ ସେ ହିଟ୍ ଗୀତ ଗାଇଛନ୍ତି । ଆଇ ଲଭ୍ ୟୁ ଫିଲ୍ମରେ ସେ ପାଇଥିଲେ ଢେରସାରା ପ୍ରଶଂସା । ଆରେ ନା.. ବଜାନା ବଂଶୀ, ଏହି ଗୀତ ତାଙ୍କୁ ଆଣିଦେଇଥିଲା ପ୍ଲେ-ବ୍ୟାକ୍ ସିଙ୍ଗରର ପ୍ରସିଦ୍ଧି । ସେ ସମ୍ବଲପୁରୀ ଭାଷାରେ ଅନେକ ଗୀତ ଗାଇଛନ୍ତି । କିଛି ଗୀତରେ ସେ ନିଜେ ନିର୍ଦ୍ଦେଶନା ବି ଦେଇଛନ୍ତି । ଚାରିଥର ରାଜ୍ୟ ପୁରସ୍କାର ପାଇଛନ୍ତି ତପୁ ମିଶ୍ର । ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।