ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା ; ଆଇସିୟୁକୁ ସ୍ଥାନାନ୍ତର ହେଲେ ଗାୟକ ଏସ୍‌ ପି ବାଲସୁବ୍ରମଣିୟମ

ମୁମ୍ବାଇ: ଅଗଷ୍ଟ ପ୍ରଥମ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡ କଣ୍ଠଶିଳ୍ପୀ ଏସପି ବାଲସୁବ୍ରମଣିୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟପନ୍ନ ହୋଇଛି। ଏଥିପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏଠାରେ ତାଙ୍କୁ ଜୀବନ ରକ୍ଷାକାରୀ ଯନ୍ତ୍ର ଦ୍ୱାରା ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀ ଟିମ ନଜର ରଖିଛନ୍ତି।

ଅଗଷ୍ଟ ୫ ତାରିଖରେ ବାଲସୁବ୍ରମଣିୟମଙ୍କର କରୋନା ଲକ୍ଷଣ ଦେଖାଯାଇଥିଲା। ଏଥିପାଇଁ ତାଙ୍କୁ ଏମଜିଏମ ହେଲଥ କେୟାରରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ସେବେଠାରୁ ସେ ହସ୍ପିଟାଲରେ ହିଁ ରହିଛନ୍ତି।

ତେବେ ଅଗଷ୍ଟ ୧୩ ତାରିଖ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ହଠାତ୍‌ ବିଗିଡ଼ିବା ଆରମ୍ଭ କରିଥିଲା। ଏହାପରେ ତାଙ୍କର ଚିକିତ୍ସା କରୁଥିବା ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଏବେ ବି ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ହସ୍ପିଟାଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।