ଜୁନ୍ ୧୫ରୁ ବନ୍ଦ ରହିବ ଶିମିଳିପାଳ

ଭୁବନେଶ୍ୱର : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବର୍ଷା ଋତୁରେ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ । ଆସନ୍ତା ଜୁନ୍‌ ୧୫ ତାରିଖରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ ରହିବ ବୋଲି ଜଣା ପଡ଼ିଛି । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶିମିଳିପାଳରେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ସହ ସର୍ବାଧିକ ଆୟ ଏକ କୋଟିରୁ ଅଧିକ ହୋଇଛି ।

ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ପ୍ରକାରର ବନ୍ୟପ୍ରାଣୀ, ସରିସୃପ, ବିରଳ ପକ୍ଷୀ ଓ ଜୈବ ବିବିଧତା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧୀ ଲାଭ କରିଛି । ଶିମିଳିପାଳର ପ୍ରାକୃତିକ ମନଲୋଭା ଦୃଶ୍ୟ ସାଙ୍ଗକୁ ଅତି ନିକଟରୁ ବନ୍ୟପ୍ରାଣୀଙ୍କୁ ଦେଖିବା ପାଇଁ ପର୍ଯ୍ୟଟକମାନେ ଏଠାକୁ ଧାଇଁ ଆସିଥାନ୍ତି । ବର୍ଷକୁ ବର୍ଷ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସହ ଆୟ ମଧ୍ୟ ସର୍ବାଧିକ ହୋଇଥିବା ଜଣା ପଡ଼ିଛି । ୨୦୧୭ ନଭେମ୍ବର ୧ରୁ ୨୦୧୮ଜୁନ୍‌ ୧୫ ଭିତରେ ୩୩, ୪୦୧ ଜଣ ପର୍ଯ୍ୟଟକ ଶିମିଳିପାଳ ବୁଲି ଦେଖିଥିଲେ । ସେମାନଙ୍କ ମଧ୍ୟରେ ୧୧ଜଣ ବିଦେଶୀ ପର୍ଯଟକ ଥିଲେ । ୨୦୧୮ ନଭେମ୍ବର ୧ରୁ ୨୦୧୯ ଏପ୍ରିଲ୍‌ ୧୯ ତାରିଖ ସୁଦ୍ଧା ୨୮, ୮୮୨ ଜଣ ପର୍ଯ୍ୟଟକ ଶିମିଳିପାଳ ପରିଦର୍ଶନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୩୦ ଜଣ ବିଦେଶୀ ପର୍ଯ୍ୟଟକ ରହିଛନ୍ତି ।

ଶିମିଳିପାଳକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ଗର୍ବର କଥା ବୋଲି କହିଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପକ୍ଷେତ୍ର ନିର୍ଦ୍ଦେଶକ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଶିମିଳିପାଳର ଜାମୁଆଣି, କୁମାରୀ, ଗୁଡୁଗୁଡିଆ ଓ ରାମତୀର୍ଥରେ ଟେଂଟ, ବାମ୍ବୋ କଟେଜ୍‌, ଆଦିବାସୀ କୁଡିଆ ଓ ମଂଚ୍ଚା ର୍ନିମାଣ କରାଯାଇଛି । ଏଠାରେ ପର୍ଯ୍ୟଟକମାନେ ରହିବା ସହ ସ୍ଥାନୀୟ ଗ୍ରାମବାସୀଙ୍କ ଘରୋଇ ଖାଦ୍ୟ ଖାଇବାର ମଜା ଉଠାଇଥାନ୍ତି ।