ସିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ପ୍ରେମ ସିଂ ତମଙ୍ଗ

ଗ୍ୟାଙ୍ଗଟକ: ସିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ପ୍ରେମ ସିଂ ତମଙ୍ଗ ଶପଥ ଗ୍ରହଣ କରିଛନ୍ତି । ସୋମବାରରେ ରାଜ୍ୟପାଳ ଗଙ୍ଗା ପ୍ରସାଦ ଗ୍ୟାଙ୍ଗଟକରେ ଥିବା ପଲଜୋର ଷ୍ଟାଡିୟମରେ ପ୍ରେମ ସିଂ ତମାଙ୍ଗଙ୍କୁ ଶପଥ ଗ୍ରହଣ କରାଇଥିଲେ । ୩୨ ଆସନ ବିଶିଷ୍ଟ ବିଧାନସଭାରେ ପ୍ରେମ ସିଂଙ୍କ ଦଳ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ୧୭ଟି ଆସନ ଜିତିଛି । ଗତ ୨୪ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ପଓ୍ବନ କୁମାର ଚାମଲିଙ୍ଗଙ୍କ ଦଳ ଏସ୍‌ଡିଏଫ୍‌ ଚଳି ନିର୍ବାଚନରେ ୧୫ଟି ଆସନରେ ବିଜେୟ ଲାଭ କରିଥିଲା ।

ପ୍ରେମ ସିଂ ତମଙ୍ଗ ସିକ୍କିମରେ ପିଏସ୍‌ ଗୋଲୟନାମରେ ପ୍ରସିଦ୍ଧ । ସେ ଚଳିତ ବିଧାନ ସଭାରେ ନିର୍ବାଚନ ଲଢି ନାହାନ୍ତି କିମ୍ବା ବିଧାୟକ ନୁହନ୍ତି । ୫୧ ବର୍ଷିୟ ପ୍ରେମ ସିଂଙ୍କ ଶପଥ ଗ୍ରହଣ ଉତ୍ସବରେ ଏସ୍‌କେଏମ୍‌ର ହଜାର ହଜାର ସମର୍ଥକ ଉପସ୍ଥିତ ଥିଲେ । ଏହି ଶପଥ ଗ୍ରହଣ ଉତ୍ସବକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ପଓ୍ୱନ କୁମାର ଚାମଲିଙ୍ଗ ଓ ତାଙ୍କ ଦଳର ନେତାମାନେ ବର୍ଜନ କରିଛନ୍ତି ।