ଶୋ’ରୁ ବିଦାହେଲେ ସିଦ୍ଧୁ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ଘଟଣାକୁ ନେଇ ଦେଇଥିବା ମନ୍ତବ୍ୟ କଂଗ୍ରେସ ନେତା ନବଜ୍ୟୋତ ସିଦ୍ଧୁକୁ ହରଡ଼ଘଣାରେ ପକାଇଛି । ତାଙ୍କର ଏହି ମନ୍ତବ୍ୟ ପାଇଁ ତାଙ୍କୁ ଶନିବାର ସୋନି ଟିଭିରେ ପ୍ରସାରିତ ହେଉଥିବା କପିଲ ଶର୍ମାଙ୍କ ଶୋ’ରୁ ବିଦା ହେବାକୁ ପଡିଛି । ସୂଚନାଯୋଗ୍ୟ, ପୁଲୱାମା ଆକ୍ରମଣ ଘଟଣାପରେ ଗତକାଲି ସିଦ୍ଧୁ କହିଥିଲେ ଯେ,ଏହି ଆତଙ୍କବାଦୀ କାଣ୍ଡ ଏକ ଦୁର୍ଭାଗ୍ୟଜନକ ଘଟଣା । କିନ୍ତୁ ଏଥିପାଇଁ ପାକିସ୍ତାନକୁ ଦୋଷୀ ବୋଲି ମାନିବାକୁ ସେ ପ୍ରସ୍ତୁତ ନାହାନ୍ତି । ସେ କହିଛନ୍ତି ଯେ ଅଳ୍ପ କିଛି ଲୋକଙ୍କ ପାଇଁ ସମଗ୍ର ଏକ ଦେଶକୁ ଦୋଷୀ ବୋଲି କହିବା ଠିକ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆତଙ୍କବାଦୀର କୌଣସି ଦେଶ ନ ଥାଏ । ଗୁଳି ବା ଯୁଦ୍ଧ ଦ୍ୱାରା ଏହି ସମସ୍ୟାର ସମାଧାନ ହେବ ନାହିଁ, ଆମକୁ କଥାବାର୍ତ୍ତାର ବାଟ ଖୋଲା ରଖିବାକୁ ହେବ । ସିଦ୍ଧୁଙ୍କର ଏହି ବୟାନକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।