ଶିବାନୀଙ୍କ ପ୍ରେମରେ ବାବୁସାନ୍‌

ଭୁବନେଶ୍ୱର: ଓଲିଉଡ ନାୟକ ବାବୁସାନ୍ ପ୍ରଥମ କରି ନିର୍ଦ୍ଦେଶକ ଜ୍ୟୋତି ଦାସଙ୍କ ଶିବିରରେ ସାମିଲ ହୋଇଛନ୍ତି । ନିୟମିତ ଭାବେ ସେ ନିର୍ଦ୍ଦେଶକ ଅଶୋକ ପତିଙ୍କ ଫିଲ୍ମରେ କାମ କରି ଆସୁଥିବାବେଳେ ଏଥର କିନ୍ତୁ ଶିବିର ବଦଳାଇ ଜ୍ୟୋତିଙ୍କ ଫିଲ୍ମରେ କାମ କରିବେ ସେ । ଯାହା ରଜ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଏହି ଫିଲ୍ମରେ ବାବୁସାନଙ୍କ ଅପୋଜିଟରେ ଆସିବେ ଅଭିନେତ୍ରୀ ଶିବନୀ । ପୁଣିଥରେ ଏହି ଯୋଡି ଏକାଠି ରୋମାନ୍ସ କରୁଥିବାର ଦର୍ଶକ ଦେଖିବାକୁ ପାଇବେ ।

ନିରଞ୍ଜନ ନାୟକ ଓ ପ୍ରଦୀପ୍ତ ପ୍ରକାଶ ଆଚାର୍ଯ୍ୟଙ୍କ ପ୍ରଯୋଜନାରେ ନିର୍ମିତ ହେଉଥିବା ଏହି ଫିଲ୍ମର ସଂଳାପ ରଚନାରେ ବାପୁ ଗୋସ୍ୱାମୀ ଥିବାବେଳେ ସ୍ୱର ସଂଯୋଜନା କରିଛନ୍ତି ବୈଦ୍ୟନାଥ ଦାସ । ଅଭିନେତା ମିହିର ଦାସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଏଥିରେ ଅବତୀର୍ଣ୍ଣ ହେବେ । ଆକ୍ସନ, ରୋମାନ୍ସ ଓ ପାରିବାରିକ ଆବେଗରେ ପରିପୂର୍ଣ୍ଣ ଏହି ଚିତ୍ର ଦର୍ଶକଙ୍କୁ ପୂର୍ଣ୍ଣ ମନୋରଞ୍ଜନ ଦେବ ବୋଲି କହିଛନ୍ତି ନିର୍ଦ୍ଦେଶକ ଶ୍ରୀ ଦାସ । ଏହା ତାଙ୍କ ନିର୍ଦ୍ଦେଶିତ ୬ଷ୍ଠ ଫିଲ୍ମ ବୋଲି ସେ ସୂଚନା ଦେବା ସହ ଫେବୃୟାରୀ ଶେଷ ସପ୍ତାହରୁ ସୁଟିଂ ଆରମ୍ଭ ହେବ ବୋଲି କହିଛନ୍ତି ।