ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ଶ୍ୟାମ ନାରାୟଣ ତିୱାରୀଙ୍କ ଦେହାନ୍ତ

ଭୁବନେଶ୍ୱର: ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ଶ୍ୟାମ ନାରାୟଣ ତିୱାରୀଙ୍କ ବୁଧବାର ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ବର୍ଷ ହୋଇଥିଲା। କିଛିଦିନ ହେବ ସେ କର୍କଟରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ତାଙ୍କର ପରିବାରବର୍ଗ ସୂଚନା ଦେଇଛନ୍ତି।

ଦିବଂଗତ ତିୱାରୀ ରାଜଖରିଆର (ବର୍ତ୍ତମାନ ଖରିଆର)ର  ମୂଳ ବାସିନ୍ଦା ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର  ପାସ୍‌ କରି ସେ ୧୯୬୩ରେ ଆଇପିଏସରେ ଯୋଗ ଦେଇଥିଲେ ।  ଏହାପ‌ରେ ସେ ରାଜ୍ୟ ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ।

କେବଳ ଏତିକି ନୁହେଁ, ତିୱାରୀ ଓଡ଼ିଶାର ପୁଲିସ ବାହିନୀର ପ୍ରାୟ ସମସ୍ତ ବିଭାଗ ତଥା କେନ୍ଦ୍ରୀୟ ପୁଲିସ ସଂଗଠନରେ ମଧ୍ୟ ନେତୃତ୍ୱ ନେଇଛନ୍ତି। ଏସ୍‌ ଏନ୍‌ ତିୱାରୀ ଡିଆଇଜି ସେଣ୍ଟ୍ରାଲ୍‌ ରେଞ୍ଜ, ନିର୍ଦ୍ଦେଶକ (ଇଣ୍ଟେଲିଜେନ୍‌ସ), ନିର୍ଦ୍ଦେଶକ (କାରାଗାର), ଡିଜି ପୁଲିସ ପଦରେ ସଫଳତା ସହ କାର୍ଯ୍ୟ କରି  କେନ୍ଦ୍ରୀୟ ଡେପୁଟେସନ୍‌ରେ ଇଣ୍ଟେଲିଜେନ୍‌ସ ବ୍ୟୁରୋର ଯୁଗ୍ମ ସଚିବ, ଭାବରେ ମଧ୍ୟ କାମ କରିଛନ୍ତି।

ତିୱାରୀ ଓଡ଼ିଶାର ପ୍ରଥମ ଏବଂ ଏକମାତ୍ର ପୁଲିସ ଅଧିକାରୀ ଯିଏକି ଏସପିଜିର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ନକ୍ସଲ ନିରୋଧି ଅପରେସନ୍ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଖୁବ୍‌ ପ୍ରଶଂସନୀୟ ଥିଲା।

ସ୍ବଗତଃ ତିୱାରୀଙ୍କ ବିୟୋଗରେ ଓଡ଼ିଶାର ପୁଲିସ ମହାନିର୍ଦ୍ଦେଶକ ଅଭୟ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି ତାଙ୍କ ପରିବାର ପ୍ରତି ସବବେଦନା ଜ୍ଞାପନ କରିଛନ୍ତି।