ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ମଠର ପୁନରୁଦ୍ଧାର ପାଇଁ ଗଠନ ହେବ ଉପ କମିଟି

ପୁରୀ:ଶ୍ରୀମନ୍ଦିରକୁ ବିଶ୍ୱ ଐତିହ୍ୟ ପରିଣତ କରିବାକୁ ଭଙ୍ଗା ଯାଇଥିବା ମଠ ଗୁଡ଼ିକର ପୁନରୁଦ୍ଧାର ପାଇଁ ଏକ ଉପ କମିଟି ଗଠନ କରାଯିବ । ମଠଗୁଡ଼ିକର ପୁର୍ନଗଠନ, ମଠର ସଂସ୍କୃତିର ବିକାଶ ଓ ଉନ୍ନତି ପାଇଁ ଉକ୍ତ କମିଟି କାମ କରିବ । ଏ ନେଇ ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଏହା ସହିତ ସେବାୟତମାନଙ୍କ ଶିକ୍ଷାଦାନ ପାଇଁ ଏକ ଗୁରୁକୂଳ ପ୍ରତିଷ୍ଠା କରାଯିବାକୁ ଯୋଜନା କରାଯାଉଛି ବୋଲି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ୍‌ କୁମାର ସୂଚନା ଦେଇଛନ୍ତି ।

ଶୁକ୍ରବାର ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ବଳବନ୍ତ ସିଂହ ଓ ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ମଠ ଉଚ୍ଛେଦ, ସେବାୟତଙ୍କ ଗୁରୁକୂଳ, ସେବାୟତଙ୍କ ପିଲାମାନଙ୍କ ପାଇଁ ବୃତ୍ତି ଓ ବିଭିନ୍ନ ପ୍ରକଳ୍ପ ଉପରେ ତମାମ ଆଲୋଚନା ହୋଇଛି । ମଠ ଉଚ୍ଛେଦ ଉପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଯେଉଁସବୁ ମଠ ଗୁଡ଼ିକୁ ଭଙ୍ଗାଯାଇଛି ତାହାର ପୁନର୍ଗଠନ ପାଇଁ ଉପ କମିଟି ଗଠନ କରାଯିବ । ମଠଗୁଡ଼ିକର ପୁର୍ନଗଠନ, ମଠର ସଂସ୍କୃତିର ବିକାଶ ଓ ଉନ୍ନତି ପାଇଁ ଉକ୍ତ କମିଟି କାମ କରିବ । ସେହିପରି ଯେଉଁମାନଙ୍କ ଦୋକାନ ଭଙ୍ଗା ଯାଇଛି ସେମାନଙ୍କ ଥଇଥାନ ପାଇଁ ଜିଲ୍ଲାପାଳ ସ୍ୱତନ୍ତ୍ର ଗାଇଡ଼୍‌ ଲାଇନ୍‌ ମଧ୍ୟ ପ୍ରସ୍ତୁତ କରିବେ ।

ସେହିପରି ସେବାୟତଙ୍କ ଶିକ୍ଷା ପାଇଁ ଗୁରୁକୂଳ ପ୍ରତିଷ୍ଠା କରାଯିବ । ପ୍ରାୟ ୧୦ ରୁ ୧୨ ଏକର ଜମିରେ ଏହି ଗୁରୁକୂଳ ନିର୍ମାଣ ହେବ । ଏଥିପାଇଁ ପ୍ରସ୍ତୁତି ଚାଲିଛି । ସେହିପରି ସେବାୟତ ପିଲାମାନଙ୍କ ଶିକ୍ଷା ପାଇଁ ବୃତ୍ତି ରାଶିକୁ ବୃଦ୍ଧି କରିବାକୁ ଆଲୋଚନା ହେଇଛି । ଏଥିପାଇଁ ଏକ ଗାଇଡ଼୍‌ ଲାଇନ୍‌ ପ୍ରସ୍ତୁତି କରି ଆଗାମୀ ପରିଚାଳନା କମିଟିରେ ପୁଙ୍ଖାନୁଫୁଙ୍ଖ ଆଲୋଚନା ହେବ । ଏହା ସହିତ ବୈଠକରେ ପୁରୀ ସହରର ଉନ୍ନତି ପାଇଁ ପ୍ରସ୍ତାବିତ ୫ ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ରଥଦାଣ୍ଡକୁ ଐତିହ୍ୟ ପରିଣତ, ଗୁଣ୍ଡିଚା ମନ୍ଦିର ବିକାଶ, ଜଗନ୍ନାଥ ବଲ୍ଲଭ ମଠରେ ପ୍ରମୋଦ ଉଦ୍ୟାନ ନିର୍ମାଣ ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହାର କାମ ଖୁବଶୀଘ୍ର ଆରମ୍ଭ କରିବାକୁ ଅନୁରୋଧ କରାଯାଇଛି ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।