ସୁଷମାଙ୍କ ପରଲୋକ

ନୂଆଦିଲ୍ଲୀ : ‘ପ୍ରଧାନମନ୍ତ୍ରୀ ଜୀ ଆପଣଙ୍କୁ ହାର୍ଦିକ ଅଭିନନ୍ଦନ। ମୁଁ ମୋ ଜୀବନରେ ଏହି ଦିନକୁ ଦେଖିବା ପାଇଁ ଅପେକ୍ଷା କରିଥିଲି।’ ସମୟ ସନ୍ଧ୍ୟା ୭ଟା ୨୩ମିନିଟ୍‌। ମଙ୍ଗଳବାର ୬ ଅଗଷ୍ଟ ୨୦୧୯। ଲୋକସଭାରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସଂକଳ୍ପପତ୍ର ଓ ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍‌ ଗୃହୀତ ହେବାପରେ ଏହା ଥିଲା ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଐତିହାସିକ ପଦକ୍ଷେପ ପାଇଁ ଶୁଭେଚ୍ଛା ଜଣାଇ ଶେଷ ଟ୍ବିଟ୍‌।
ଟ୍ବିଟ୍‌ର ୪ ଘଣ୍ଟା ପରେ ଲୋକପ୍ରିୟ ନେତ୍ରୀ, ବିଜେପିର ପ୍ରମୁଖ ମହିଳା ଚେହେରା, ପୂର୍ବତନ ବୈଦେଶିକ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଭଳି ପ୍ରମୁଖ ବିଭାଗ ମନ୍ତ୍ରୀ ରହିଥିବା ବିଶିଷ୍ଟ ବାଗ୍ମୀ, ସର୍ବୋପରି ଭାରତୀୟ ରାଜନୀତିର ‘ସୁପର ଓମ୍ୟାନ୍‌’ ସୁଷମା ସ୍ବରାଜଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୬୭ବର୍ଷ ହୋଇଥିଲା। ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ହୃଦ୍‌ଘାତରେ ସେ ପ୍ରାଣ ହରାଇଛନ୍ତି। ସାମାଜିକ ଗଣମାଧ୍ୟମରେ ସର୍ବଦା ସକ୍ରିୟ ସୁଷମା ରାତି ପ୍ରାୟ ୧୦ଟାରେ ସେ ହୃଦ୍‌ଘାତର ଶିକାର ହୋଇଥିଲେ। ତାଙ୍କୁ ୧୦ଟା ୧୫ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା; କିନ୍ତୁ ପ୍ରାଣରକ୍ଷା କରାଯାଇପାରି ନ ଥିଲା।। ‘କାଶ୍ମୀର ବିଜୟ’ ନେଇ ବିଜେପିର ତୁଙ୍ଗ ନେତା ଓ କର୍ମୀମାନେ ଉତ୍ସବ ପାଳନ କରୁଥିଲାବେଳେ ଏହି ଖବର ସମସ୍ତଙ୍କୁ ବିଷର୍ଣ୍ଣ କରିଛି।

ସୁଷମାଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତୀରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ସାଂସଦ ଅଚ୍ୟୁତ ସାମନ୍ତ ପ୍ରମୁଖ ବ୍ୟକ୍ତିବିଶେଷ ଗଭୀର ଶୋକବ୍ୟକ୍ତ କରିଛନ୍ତି।