ରିୟାଦରେ ଫସିଥିବା ଭାରତୀୟ ଦେଲେ ଆତ୍ମହତ୍ୟାର ଧମକ: ତା’ର ଉତରରେ କ’ଣ କହିଲେ ସୁଷମା…

ନୂଆଦିଲ୍ଲୀ : ପୂର୍ବରୁ ଟୁଇଟ୍‌ର ଜରିଆରେ ଭାରତ ବାହାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଭାରତୀୟଙ୍କୁ ସାହାଯ୍ୟ କରି ଆସିଥିବା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି । ଭାରତୀୟଙ୍କୁ ସାହାଯ୍ୟ କରିବା ପାଇଁ ସବୁବେଳେ ତତ୍ପର ରହୁଥିବା ସୁଷମା ସ୍ୱରାଜ ରିୟାଦରେ ରହୁଥିବା ଜଣେ ଭାରତୀୟଙ୍କୁ ଯେଉଁଭଳି ଭାବରେ ସାହାଯ୍ୟ କରିଛନ୍ତି, ତାହା ସମସ୍ତଙ୍କ ହୃଦୟ କିଣି ନେଇଛି । ରିୟାଦରେ ଫସି ରହିଥିବା ଜଣେ ଯୁବକ ଟୁଇଟ୍‌ କରି ଆତ୍ମହତ୍ୟାର ଧମକ ଦେବା ପରେ ସୁଷମା ସ୍ୱରାଜ ତୁରନ୍ତ ତାଙ୍କୁ ଟୁଇଟ୍‌ କରି ଏପରି କରିବା ପାଇଁ ମନା କରିଥିଲେ । “ଆତ୍ମହତ୍ୟା ବିଷୟରେ ଭାବିବା ବା କରିବା ଠିକ୍‌ ନୁହେଁ । ଆମେ ଅଛୁ । ଆମ ଦୂତାବାସ ଆପଣଙ୍କୁ ସାହାଯ୍ୟ କରିବ” ବୋଲି ଲେଖିଥିଲେ ସୁଷମା ସ୍ୱରାଜ । ଏଭଳି ଟୁଇଟ୍‌ ପରେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି ।

ସୂଚନା ମୁତାବକ, ରିୟାଦରେ ଫସି ରହିଥିବା ଅଲ୍ଲୀ ନାମକ ଜଣେ ଯୁବକ ଟୁଇଟ୍‌ କରି, “ସାର୍‌, ଗୋଟେ କଥା କୁହନ୍ତୁ । ଆପଣମାନେ ମୋତେ ସାହାଯ୍ୟ କରିବେ ନା ମୁଁ ଆତ୍ମହତ୍ୟା କରିନେବି । ୧୨ମାସ ହେଲାଣି ମୁଁ ଦୂତାବାସରେ ଭାରତ ଫେରିବା ପାଇଁ ଅନୁରୋଧ କରି ଆସୁଥିଲେ ମଧ୍ୟ ମୋତେ ସାହାଯ୍ୟ କରିବା ପରିବର୍ତ୍ତେ ବୁଝାଇ ଛାଡ଼ି ଦେଉଛନ୍ତି । ମୋତେ ଭାରତ ପଠାଇ ଦେଲେ ବହୁତ ଭଲ ହେବ” ବୋଲି ଲେଖିଥିଲେ ଅଲ୍ଲୀ । ଏହା ପରେ ତୁରନ୍ତ ସୁଷମା ସ୍ୱରାଜ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।