୪ର୍ଥ ଥର ପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ ସିଂ ଚୌହାନ

ଭୋପାଳ: ମଧ୍ୟପ୍ରଦେଶର ରାଜନୈତିକ ଡ୍ରାମାର ଅନ୍ତ ଘଟି ପରିଶେଷରେ ଗତକାଲି ରାତିରେ ୪ର୍ଥ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ ସିଂ ଚୌହାନ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମହାମାରୀ କୋରୋନା ଭାଇରାସ୍ ର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ ।

ବଲ୍ଲଭ ଭବନ (ସଚିବାଳୟ)ରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ କୋରୋନା ମୁକାବିଲାକୁ ନେଇ ପ୍ରସ୍ତୁତି ସଂପର୍କରେ ଅବଗତ ହୋଇଛନ୍ତି । ବୈଠକ ପରେ ଶିବରାଜ ସିଂହ କହିଛନ୍ତି, ଆଜି ଠାରୁ ଭୋପାଳ ଓ ଜବଲପୁରରେ କର୍ଫ୍ୟୁ ଲାଗୁ କରିଦିଆଯାଇଛି । ଏହା ବ୍ୟତୀତ ଲୋକଙ୍କୁ ରାଜ୍ୟର ୩୬ଟି ଜିଲ୍ଲାରେ ଲାଗୁ କରାଯାଇଥିବା କଟକଣା ମାନିବାକୁ ପଡ଼ିବ । ମୁଁ ଲୋକଙ୍କୁ ଘରେ ରହିବାକୁ ଅପିଲ କରୁଛି । ଲୋକଙ୍କୁ ଜରୁରୀକାଳୀନ ଏବଂ ଆବଶ୍ୟକ ସୁବିଧା ଯୋଗଇ ଦିଆଯିବ ।

ସୂଚନାଯୋଗ୍ୟ, ଶିବରାଜ ସିଂହ ଚୌହାନଙ୍କୁ ସୋମବାର ସନ୍ଧ୍ୟା ୭ଟାରେ ବିଜେପି ବିଧାୟକ ଦଳର ସ୍ୱତନ୍ତ୍ର ବୈଠକରେ ବିନା କୌଣସି ବିରୋଧରେ ନେତା ଭାବେ ଚୟନ କରାଯାଇଥିଲା । ବିଜେପିର ରାଷ୍ଟ୍ରୀୟ ଉପସଭାପତି ବିନୟ ଓ ରାଷ୍ଟ୍ରୀୟ ସଚିବ ଅରୁଣ ସିଂହଙ୍କ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ଉପସ୍ଥିତିରେ ମଧ୍ୟପ୍ରଦେଶ ବିଧାନସଭାର ନିର୍ବତମାନ ବିରୋଧୀ ଦଳର ନେତା ଗୋପାଳ ଭାର୍ଗବ ତାଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ ଏବଂ ବିଧାୟକ ଏବଂ ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ନରୋତମା ମିଶ୍ରା ଏବଂ ନିନା ବର୍ମା ସମେତ ଅନ୍ୟ ବିଧାୟକମାନେ ଏହାକୁ ଅନୁମୋଦନ କରିଥିଲେ ।

ଶିବରାଜ ସିଂହ ଚୌହାନ କହିଥିଲେ, ଏହି ମହାମାରୀରୁ ମୁକ୍ତି ପାଇବା ପାଇଁ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ । ସମସ୍ତଙ୍କ ସହଯୋଗରେ ଏହି ରୋଗ ଲୋପ ପାଇପାରିବ ।