ଶିବସେନାର ମୁଖ୍ୟମୁଖପାତ୍ର ହେଲେ ସଂଜୟ ରାଉତ

ମୁମ୍ବାଇ:ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଚେତାବନୀ ଦେଇ ଚର୍ଚ୍ଚାରେ ଥିବା ରାଜ୍ୟସଭା ସାଂସଦ ସଂଜୟ ରାଉତଙ୍କୁ ଶିବସେନା ମୁଖ୍ୟ ମୁଖପାତ୍ର ନିଯୁକ୍ତ କରିଛି।

ମୁମ୍ବାଇକୁ ପାକ୍ ଅଧିକୃତ କଶ୍ମୀର ସହ ଚୁଳନା କରିବା ପରେ କଙ୍ଗନାଙ୍କୁ ଚେତାବନୀ ଦେଇ ସାଂସଦ ସଂଜୟ ରାଉତ କହିଥିଲେ ଯେ ଏହି ବଲିଉଡ୍ ଅଭିନେତ୍ରୀ ମୁମ୍ବାଇ ବାହାରେ ରହିବା ଉଚିତ୍। ଏପରିକି ମୁମ୍ବାଇ ଆସିଲେ କଙ୍ଗନାଙ୍କୁ ଶିବସେନା ମହିଳା ଶାଖା କଡ଼ା ଜବାବ ହେବ ବୋଲି ସଂଜୟ ଚେତାବନୀ ଦେଇଥିଲେ। ତେବେ ସଂଜୟଙ୍କ ଏଭଳି ବୟାନ ପରେ ସମ୍ଭାବ୍ୟ ଅପ୍ରତୀତିକର ପରିସ୍ଥିତିକପ ଏଡ଼ାଇବା ପାଇଁ କେନ୍ଦ୍ର ଗୃହ ମନ୍ସାଳୟ କଙ୍ଗନାଙ୍କ ସୁରକ୍ଷା ପାଇଁ ଏଗାର ଜଣ ସଶସ୍ତ୍ର ପୁଲିସ ନିୟୋଜିତ କରିଛନ୍ତି।

ଏପଟେ ଶିବସେନାର ମୁଖପତ୍ର ସାମନାର କାର୍ଯ୍ୟନିର୍ବାହୀ ସଂପାଦକ ଦାୟିତ୍ୱରେ ଥିବା ସାଂସଦ ସଂଜୟ ରାଉତଙ୍କୁ ଚାରି ଜଣିଆ ମୁଖପାତ୍ର ଟିମ୍ ର ମୁଖ୍ୟ ଭାବେ ଦଳ ନିଯୁକ୍ତ କରିଛି। ଶ୍ରୀ ରାଉତଙ୍କ ସହ ଲୋକସଭା ସାଂସଦ ଅରବିନ୍ଦ ସାୱନ୍ତ ଓ ଧୈର୍ଯ୍ୟଶୀଳ ମାନେ ଏବଂ ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଶିବସେନାର ମୁଖପାତ୍ର ନିଯୁକ୍ତ ହୋଇଛନ୍ତି।

ତେବେ କଙ୍ଗନାଙ୍କୁ ଚେତାବନୀ ଦେବା ନେଇ ଏଯାଏ ଶ୍ରୀ ରାଉତ କ୍ଷମା ମାଗି ନାହାନ୍ତି। କିନ୍ତୁ ଏ ସମ୍ପର୍କରେ ଏକ ଜାତୀୟ ଗଣାମାଧ୍ୟମକୁ ସଂଜୟ କହିଛନ୍ତି ଯେ ହୁଏତ ସେ କିଛି ଭୁଲ କରିଥାଇ ପାରନ୍ତି। ତେବେ କଙ୍ଗନା ଏପରି ଭୁଲ ବାରମ୍ବାର କରୁଛନ୍ତି। ଏପରିକି ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଥ୍ୟଗତ ପ୍ରମାଣ ଉପସ୍ଥାପନ କରିବାକୁ ଶ୍ରୀ ରାଉତ କଙ୍ଗନାଙ୍କୁ ଆହ୍ୱାନ ଦେଇଛନ୍ତି।