ଶିରିଡିର ବନ୍ଦ ଆନ୍ଦୋଳନ ପ୍ରତ୍ୟାହାର

ଶିରିଡି: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସାଇବାବା ଜନ୍ମଭୂମିକୁ ନେଇ ଦେଇଥିବା ବୟାନକୁ ନେଇ ଗତକାଲି ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିରିଡି ବନ୍ଦ କରାଯାଇଥିଲା । ଗତକାଲି ଏହି ବନ୍ଦ ବିଳମ୍ବିତ ରାତିରେ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡିଛି ।

ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଥିବାରୁ ଏହାକୁ ସାମୟିକଭାବେ ପ୍ରତ୍ୟାହାର କରାଯାଇଥିବା କୁହାଯାଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଦେଇଥିବା ବୟାନକୁ ଆଜି ପ୍ରତ୍ୟାହାର ନ କରିଲେ ପୁଣି ଆନ୍ଦୋଳନ ଚାଲିବ ବୋଲି ଶିରିଡିର ବିଭିନ୍ନ ସଂଗଠନ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ଉଦ୍ଧବ ଠାକରେ ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଦେଇଥିବା ବୟାନକୁ ନେଇ ଶିରିଡ଼ିରେ ଜୋରଦାର ବିରୋଧ କରାଯାଇଛି। ଗତକାଲି ଶିରିଡ଼ି ବଜାର ସଂପୂର୍ଣ୍ଣ ବନ୍ଦ ଥିବା ବେଳେ ରାସ୍ତାରେ ଯାନବାହନ ଚଳାଚଳ ମଧ୍ୟ କରୁନଥିଲା। ପଥରି ସହରକୁ ମୁଖ୍ୟମନ୍ତ୍ରୀ ଠାକରେ ସାଇ ବାବାଙ୍କ ଜନ୍ମସ୍ଥାନ ବୋଲି ଦର୍ଶାଇ ସେଠାରେ ବିକାଶ ନିମନ୍ତେ ୧୦୦ କୋଟି ଟଙ୍କା ପ୍ୟାକେଜ୍ ଘୋଷଣା କରିବା ପରେ ଶିରିଡିବାସୀ ଏହାର ପ୍ରବଳ ବିରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ବୟାନ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଶିରିଡ଼ିର ବିଭିନ୍ନ ସଂଗଠନ ଚେତାବନୀ ଦେଇଛନ୍ତି। ବିବାଦୀୟ ବୟାନକୁ ନେଇ ଉଦ୍ଧବଙ୍କ ସମସ୍ୟା ବଢ଼ୁଥିବା ବେଳେ ଏହି ମାମଲାରେ ସମାଧାନର ରାସ୍ତା ଖୋଜିବାକୁ ଆଜି ସରକାର ତତ୍ପରତା ଦେଖାଇଛନ୍ତି।