ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ତାଙ୍କ ପୁତ୍ର ସଂଦୀପ ଦୀକ୍ଷିତ ଏବେ କଂଗ୍ରେସ ସଦସ୍ୟ ଅଛନ୍ତି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ ଓ ଦିଲ୍ଲୀର ଏସକର୍ଟ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଶୀଲା ଦୀକ୍ଷିତ ୧୯୩୮ ମସିହା ମାର୍ଚ୍ଚ ୩୧ରେ ପଞ୍ଜାବର କପୁରତାଲାରେ ଜନ୍ମଗ୍ରହଣ କରିଥିଲେ । ସେ ଦିଲ୍ଲୀର ଲଗାତାର ୩ ଥର ମୁଖ୍ୟମନ୍ତ୍ରୀ ରହିଥିଲେ । ତାଙ୍କ ଅମଳରେ ଦିଲ୍ଲୀରେ ମେଟ୍ରୋ ଟ୍ରେନ ସହିତ ବିଭିନ୍ନ ପ୍ରକାରର ବିକାଶମୂଳକ କାର୍ଯ୍ୟ ହୋଇଥିଲା । ୨୦୧୪ରେ ତାଙ୍କୁ କେରଳର ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା । କିନ୍ତୁ ସେହି ବର୍ଷ ଅଗଷ୍ଟ ୨୫ରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଗତ ସାଧାରଣ ନିର୍ବାଚନରେ ସେ ଉତ୍ତର-ପୂର୍ବ ଦିଲ୍ଲୀ ସଂସଦୀୟ ଆସନରୁ ନିର୍ବାଚନ ଲଢିଥିଲେ । କିନ୍ତୁ ବିଜେପିର ମନୋଜ ତିଓ୍ଵାରୀଙ୍କ ଠାରୁ ସେ ପରାସ୍ତ ହୋଇଥିଲେ । ତାଙ୍କ ମୃତ୍ୟୁରେ କଂଗ୍ରେସରେ ଶୋକର ଛାୟା ଖେଳିଯାଇଛି ।