ଦୋଷ ସ୍ଵୀକାର କଲେ ସ୍ଵାମୀ ଚିନ୍ମୟାନନ୍ଦ

ଶାହାଜହାଂପୁର :ପୂର୍ବତନ ଗୃହରାଜ୍ୟମନ୍ତ୍ରୀ ସ୍ଵାମୀ ଚିନ୍ମୟାନନ୍ଦଙ୍କୁ ଏସଆଇଟି ଓ ୟୁପି ପୁଲିସ ଗିରଫ କରି ଜେଲ ପଠାଇଛି। ତେବେ ପଚରାଉଚୁରାରେ ସ୍ଵାମୀ ଚିନ୍ମୟାନନ୍ଦ ପୀଡିତା ଛାତ୍ରୀଙ୍କୁ ମସାଜ ପାଇଁ ଡାକିଥିବା କଥା ସ୍ଵୀକାର କରିଛନ୍ତି। 

ଏନେଇ ସ୍ପେଶାଲ ଇନଭେଷ୍ଟିଗେସନ ପ୍ରମୁଖ ନବୀନ ଅରୋରା କହିଛନ୍ତି କି, ସ୍ଵାମୀ ଚିନ୍ମୟାନନ୍ଦ ନିଜ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ସ୍ଵୀକାର କରିଛନ୍ତି। ତେବେ ଚିନ୍ମୟାନନ୍ଦ ଏହି ପ୍ରସଙ୍ଗରେ ଅଧିକ କିଛି କହି ନାହାଁନ୍ତି। ଏହାକୁ ନେଇ ସେ ଲଜ୍ଜିତ ଅଛନ୍ତି, ତେଣୁ କିଛି କହି ପାରିବେ ନାହିଁ ବୋଲି ସ୍ଵାମୀ କହିଛନ୍ତି। 

ଛାତ୍ରୀଙ୍କୁ ଯୌନଉତ୍ପୀଡନ ମାମଲାରେ ଗିରଫ ହୋଇଥିବା ସ୍ଵାମୀ ଚିନ୍ମୟାନନ୍ଦଙ୍କୁ ଆଜି ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଏହା ସହ ତାଙ୍କର ତିନି ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ହୋଇଥିବା ଯୁବକଙ୍କ ବିରୋଧରେ ବ୍ଲାକମେଲିଙ୍ଗ୍ ଅଭିଯୋଗ ଆଗତ ହୋଇଛି। ତେବେ ଏହି ଯୁବକମାନଙ୍କୁ ସ୍ଥାନୀୟ ବିଚାରଧୀନ ଅଦାଲତରେ ଉପସ୍ଥାପନ କରାଯାଇଛି। ଏସଆଇଟିର କହିବା ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ମାମଲାରେ ଚିନ୍ମୟାନନ୍ଦଙ୍କ ସହ ଏହି ତିନି ଜଣ ଯୁବକଙ୍କର ମୁଖ୍ୟ ଭୂମିକା ଥିଲା।