ମେଡିକାଲରୁ ଘରକୁ ଫେରିଲେ ଶବାନା

ମୁମ୍ବାଇ: ବିଶିଷ୍ଟ ଅଭିନେତ୍ରୀ ଶବାନା ଆଜମୀଙ୍କୁ ମେଡିକାଲରୁ ଛୁଟି ମିଳିଯାଇଛି। ବର୍ତମାନ ସେ ନିଜ ଘରକୁ ଫେରିଛନ୍ତି । ଗତ ୧୮ ତାରିଖରେ କାରର ଦୁର୍ଘଟଣାରେ ସେ ଗମ୍ଭୀର ରୂପେ ଆହତ ହୋଇଥିଲେ । ଯାହାପରେ ତାଙ୍କ ଚିକିତ୍ସା ମୁମ୍ବାଇସ୍ଥିତ କୋକିଲାବେନ ହସ୍ପିଟାଲରେ ଚାଲିଥିଲା । ହେଲେ ଏବେ ସେ ଘରକୁ ଫେରିବା ସୂଚନା ଟ୍ବିଟରରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।

ସେ ନିଜର ଫଟୋ ସେୟାର କରି ଟ୍ବିଟରେ ଲେଖିଛନ୍ତି, ‘ମୋ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିବାରୁ ଧନ୍ୟବାଦ। ମୁଁ ଘରକୁ ଫେରିଆସିଛି । ଡାକ୍ତରୀ ଟିମ ଓ ନର୍ସିଂ ଷ୍ଟାଫଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଯତ୍ନ ପାଇଁ ଟିନା ଅମ୍ବାନୀ ଓ କୋକିଲାବେନ ଅମ୍ବାନୀଙ୍କ ମେଡିକାଲ ନିକଟରେ ଋଣୀ ରହିବି ।’

ଏହି ପରି ଶବାନା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରକାଶ ଥାଉକି ନିକଟରେ ତାଙ୍କ ସୁସ୍ଥ ହେବାର ଖବର ସ୍ବାମୀ ତଥା ସଙ୍ଗୀତକାର ଜାଭେଦ ଅଖତର ଟ୍ବିଟ କରି ଫ୍ୟାନ୍ସଙ୍କୁ ଦେଇଥିଲେ । ସମସ୍ତଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ ଜଣାଇବା ସହ ଲେଖିଥିଲେ ଶବାନା ଖୁବଶୀଘ୍ର ଘରକୁ ଫେରିବାକୁ ଯାଉଛନ୍ତି।

ପ୍ରକାଶ ଥାଉକି ମୁମ୍ବାଇ-ପୁନେ ଏକ୍ସପ୍ରେସୱେରେ ଶବାନାଙ୍କ କାରର ଏକ ଟ୍ରକ ସହ ଧକ୍କା ହୋଇଥିଲା । ଯାହାପରେ ତାଙ୍କୁ ଗମ୍ଭୀର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଥିଲା । ଏହି ଯାତ୍ରା ସମୟରେ ଜାଭେଦ ମଧ୍ୟ ଉପସ୍ଥିତ ଥିଲେ । ହେଲେ ସେ ଅନ୍ୟ ଏକ କାରରେ ଯାତ୍ରା କରୁଥିଲେ ।