ବିବାହ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଦୈହିକ ସମ୍ପର୍କ ରଖିବା ଅର୍ଥ ଦୁଷ୍କର୍ମ ନୁହେଁ

କଟକ: ବିବାହ କରିବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଦୈହିକ ସମ୍ପର୍କ ରଖିବା ଅର୍ଥ ଦୁଷ୍କର୍ମ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି। ନିମ୍ନ ଅଦାଲତଙ୍କ ଦ୍ୱାରା ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ଆଦେଶକୁ ଖାରଜ କରି ଗୁରୁବାର ଦିନ ହାଇକୋର୍ଟ ଏ ଭଳି ରାୟ ଦେଇଛନ୍ତି।

ଜଣେ ୧୯ ବର୍ଷୀୟ ଝିଅର ଅଭିଯୋଗ ଆଧାରରେ ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଭାରତୀୟ ପିଙ୍ଗଳ‌ କୋଡ୍ ଦଫା ୩୭୬ରେ ବୁକ୍ କରିଥିଲା। ଝିଅଟି ଅଭିଯୋଗ କରିଥିଲା ଯେ ବିବାହର ପ୍ରତିଶ୍ରୁତି ଦେଇ ଓ ସରଳତାର ସୁଯୋଗ ନେଇ ବ୍ୟକ୍ତିଜଣକ ତାଙ୍କ ସହ ଦୈହିକ ସମ୍ପର୍କ ରଖି ତାଙ୍କୁ ଅନ୍ତଃସତ୍ୱା କରିଛନ୍ତି।

ମାମଲାର ଶୁଣାଣି କରୁଥିବା ହାଇକୋର୍ଟ  ବିଚାରପତି ଜଷ୍ଟିସ୍ ଏସ୍‌କେ ପାଣିଗ୍ରାହୀ କହିଲେ ଯେ ବିବାହ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଦୈହିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ। କାରଣ ଏ ଭଳି ଘଟଣା ଭାରତୀୟ ପିଙ୍ଗଳ କୋଡ୍‌ର ଦଫା ୩୭୫ରେ ନିର୍ଦ୍ଧାରିତ ଦୁଷ୍କର୍ମ ସଂଜ୍ଞା ପର୍ଯ୍ୟାୟଭୁକ୍ତ ନୁହେଁ।

ଜଷ୍ଟିସ୍ ପାଣିଗ୍ରାହୀ କହି‌ଛନ୍ତି ଯେ ଦଫା ୩୭୫ରେ ଲିଖିତ ଦୁଷ୍କର୍ମର ୭ଟି ସଂଜ୍ଞା ରହିଛି। ସେଗୁଡ଼ିକ ହେଲା, କହାର ଇଚ୍ଛା ବିରୋଧରେ, ବିନା ସମ୍ମତିରେ, ମୃତାହତ ହେବା ଭୟରେ ଦିଆଯାଇ ଥିବା ସମ୍ମତିରେ, ଭୁଲ୍‌ ବିଶ୍ବାସବଶତଃ ପୀଡ଼ିତା ଲୋକଟିକୁ ସ୍ୱାମୀ ବୋଲି ବିଚାରି ସମ୍ମତି ଦେଇଥିଲେ, ମାନସିକ ସ୍ଥିତି ଭଲ ନ ଥିବା ବେଳେ ବା ନିଶାସେବନ କରାଇ ନିଆଯାଇଥିବା ସମ୍ମତିରେ, ୧୮ ବର୍ଷରୁ କମ୍ ବୟସ୍କ ଝିଅର ସମ୍ମତିରେ ଏବଂ ପୀଡ଼ିତା ସମ୍ମତି ଜଣାଇବା ସ୍ଥିତିରେ ନ ଥିବା ସମୟରେ ଦୈହିକ ସମ୍ପର୍କ ରଖିବା ଦୁଷ୍କର୍ମ ବୋଲି ବିବେଚନା କରାଯାଏ।

ଏହି ମାମଲାକୁ ଗୁରୁତ୍ୱର ସହ ପୁନର୍ବିଚାର କରିବା ଆବଶ୍ୟକ କହି ଜଷ୍ଟିସ୍ ପାଣିଗ୍ରାହୀ କହିଲେ, ଏ ମାମଲାରେ ଆଇନକର୍ତ୍ତାଙ୍କ ଉଦ୍ଦେଶ୍ୟ ସୁସ୍ପଷ୍ଟ। ତେଣୁ, ନିବିଡ଼ ସମ୍ପର୍କ, ବିଶେଷତଃ ମହିଳାମାନେ ସ୍ୱଇଚ୍ଛାରେ ଦୈହିକ ସମ୍ପର୍କ ରଖିବା କ୍ଷେତ୍ରରେ ଦୁଷ୍କର୍ମ ଆଇନ ବ୍ୟବହାର କରିବା ଅନୁଚିତ।

ସେ ଆହୁରି କହିଲେ ଯେ ବିବାହ କରିବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଦୈହିକ ସମ୍ପର୍କ ସ୍ଥାପନ କରାଯାଉଥିବା ଭଳି ବହୁତ ମାମଲା ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଛି। ଏଗୁଡ଼ିକ ସାଧାରଣତଃ ସମାଜର ଗରିବବର୍ଗ ଏବଂ ଗ୍ରାମୀଣ ଅଂଚଳରେ ଘଟୁଛି। ଅନ୍ତଃସତ୍ୱା ହେବା ପରେ ସେମାନଙ୍କୁ ଧୋକା ଦିଆଯାଉଛି। ଦୁଷ୍କର୍ମ ଆଇନ୍ ସେମାନଙ୍କର ଦୁର୍ଦ୍ଦଶାକୁ ନ୍ୟାୟ ଦେବାରେ ବିଫଳ ହେଉଛି।

ଅଭିଯୁକ୍ତଙ୍କୁ ଜାମିନ ମଞ୍ଜୁର କରି ଜଷ୍ଟିସ୍ ପାଣିଗ୍ରାହୀ କହିଲେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ବିଚାର ହେବା ଯାଏଁ ଅଭିଯୁକ୍ତଙ୍କୁ ଜାମିନ ମିଳିବା ଉଚିତ।

ପ୍ରାପ୍ତ ସୂଚନା ଅନୁସାରେ, କୋରାପୁଟ ଜିଲ୍ଲାର ଏହି ପୀଡ଼ିତା ୨୦୧୯, ନଭେମ୍ବର ୨୭ ତାରିଖ ଦିନ ପଟାଙ୍ଗି ଥାନାରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ୨୦୧୯, ଡିସେମ୍ବର ୧୧ ତାରିଖରେ କୋରାପୁଟ୍-ଜୟପୁର ସେସନ୍-କମ୍-ସ୍ପେସାଲ୍ ଜଜ୍ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିବା ପରେ ସେ ବିଚାର ବିଭାଗୀୟ ହାଜତରେ ଥିଲେ।