ଖୋଲିଲା ଭୁବନେଶ୍ବରରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣା ରହସ୍ୟ : ତଣ୍ଟି ଚିପି ହତ୍ୟା ପରେ ମୁଣ୍ଡ କାଟିଥିଲା ପୁରୁଷ ବନ୍ଧୁ
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ କମିଶନରେଟ୍ ପୁଲିସ୍କୁ ମିଳିଛି ବଡ଼ ସଫଳତା। ମୃତଦେହ ପଡ଼ିବା ସ୍ଥାନରୁ ପ୍ରାୟ ୧ କି.ମି ଦୂରରୁ ଆଜି କଟା ମୁଣ୍ଡ ଠାବ କରିଛି ପୁଲିସ୍ । ଏଥିରେ ସମ୍ପୃକ୍ତ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ପ୍ରାଥମିକ ତଦନ୍ତରୁ ବିବାହ ବିବାଦକୁ ନେଇ ମହିଳାଙ୍କୁ ହତ୍ୟା କରାଯାଇଥିବା ଜଣା ପଡିଛି । ମହିଳାଙ୍କ ନାଁ ପୁଷ୍ପଲତା ରାଉଳ ।
ବିବାହ ବିବାଦରୁ ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଥିଲା । ଅତି ନିର୍ମମ ଭାବେ ହତ୍ୟା କରି ଚନ୍ଦକା -ଦାସପୁର ରାସ୍ତାରେ ଫିଙ୍ଗିଦେଇଥିଲା । ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହିନୀ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ମହିଳାଙ୍କୁ ହତ୍ୟା କରିଥିବା ୨ ଅପରାଧୀଙ୍କୁ ଧରି କ୍ରାଇମସିନ୍ ରିକ୍ରିଏଟ୍ କରିଛି । ଅପରାଧୀମାନେ ମହିଳାଙ୍କ ମୁଣ୍ଡକୁ ଯେଉଁ ସ୍ଥାନରେ ଫିଙ୍ଗିଥିଲେ ସ୍ଥାନ ପୋଲିସକୁ ଦେଖାଇବା ସହ ସେଠାରୁ ଅଖାବସ୍ତାରେ ଥିବା କଟାମୁଣ୍ଡକୁ ଉଦ୍ଧାର କରାଯାଇଛି । ବିବାହ ବିବାଦକୁ ନେଇ ମହିଳାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।
ଏହା ପରେ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଖୁଲାସା କରିଥିଲା। ହତ୍ୟାର ଶିକାର ମହିଳାଙ୍କ ନାଁ ପୁଷ୍ପଲତା ରାଉଳ । ସେ ମଞ୍ଚେଶ୍ବର ଥାନା ଧିରକୁଟ ବସ୍ତିରେ ରହୁଥିଲେ । ପୁଷ୍ପଲତାଙ୍କ ପ୍ରଥମ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଛି । ପୁଷ୍ପଲତାଙ୍କ ଘରେ ୬ ବର୍ଷ ହେବ ଭଡା ରହୁଥିବା ସଂଜୟ ଦାସ ନାମକ ଜଣେ ବ୍ୟକ୍ତିଙ୍କ ସହିତ ପୁସ୍ପଲତାଙ୍କ ସଂମ୍ପର୍କ ଗଢିଉଠିଥିଲା । ପରେ ପୁଷ୍ପଲତା ଭରତପୁର ତାରେଣୀ ନଗର ବସ୍ତିରେ ଏକ ଘର କରି ରହିଥିଲେ । ସଂଜୟ ବି ସେଠାକୁ ଯିବା ଆସିବା କରୁଥିଲା । ହେଲେ ଗତ ଡିସେମ୍ବର ୨୫ରେ ପ୍ରୀତି ରଞ୍ଜନ ପତି ନାମକ ଜଣେ ବ୍ୟକ୍ତିଙ୍କୁ ଆମଫୋଇରେ ବିବାହ କରିଥିଲେ ପୁଷ୍ପଲତା। ପ୍ରୀତି ରଞ୍ଜନଙ୍କ ସହ ଆସି ଚକେଇ ସିଆଣିରେ ରହିଥିଲେ । କିଛିଦିନ ପରେ ପ୍ରୀତି ରଞ୍ଜନକୁ ଛାଡି ପୁଷ୍ପଲତା ପୁଣିଥରେ ସଂଜୟଙ୍କ ପାଖକୁ ଫେରିଆସିଥିଲେ । କୌଣସି କାରଣରୁ ଗତ ୩ ତାରିଖ ରାତିରେ ପୁଷ୍ପଲତା ଓ ସଂଜୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏହାପରେ ସଂଜୟ ଏକ ଓଢଣୀରେ ପୁଷ୍ପଲତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ସଂଜୟ ତାଙ୍କ ବନ୍ଧୁ ଶ୍ରୀକାନ୍ତ ଦାସ ଓରଫ ଚନ୍ଦୁକୁ ଡାକି ସମସ୍ତ ବିଷୟ କହିଥିଲା । ଦୁଇଜଣ ମିଶି ଆଇଗିଣିଆ ବଜାରରୁ ଦୁଇହଳ ସରଜିକାଲ ଗ୍ଲୋଭସ କିଣିବା ସହିତ ଏକ ଛୁରୀ କିଣିଥିଲେ । ଚନ୍ଦୁର ବୋଲେରୋରେ ମୃତଦେହକୁ ଦାସପୁର ରାସ୍ତାକୁ ଆଣି ସେଠାରେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଥିଲେ । ମୁଣ୍ଡକୁ ଭରତପୁର ହାତୀ ଟ୍ରେଞ୍ଜ କଡରେ ଫିଙ୍ଗି ଚାଲି ଆସିଥିଲେ । ଉଭୟ ଜଣେ ସଂପର୍କୀୟଙ୍କ ଘର ଦଶପଲ୍ଲାକୁ ପଳାଇଥିଲେ । ପୋଲିସ ସେଠାରୁ ସେମାନହଙ୍କି ଗିରଫ କରିବା ସହ ବୋଲେରୋ ଗାଡି , ପୁଷ୍ପଲତାଙ୍କ ମୋବାଇଲ ଓ ରକ୍ତଭିଜା ଛୁରୀ ଜବତ କରିଛି । ମୁଣ୍ଡ ଓ ଗଣ୍ଡିର ରକ୍ତନମୁନା ସହିତ ମୁଣ୍ଡବାଳର ଡିଏନଏ ଓ ଫୋରେନସିକ ଟେଷ୍ଟ ପାଇଁ ପଠାଯାଇଛି ।
ପୋଲିସ କମିଶନର କହିଛନ୍ତି ପୋଲିସ ପାଇଁ ଏହି ମାମଲା ବେଶ ଚ୍ୟାଲେଞ୍ଜିଂ ଥିଲା । କାରଣ ମୁଣ୍ଡ ବିହୀନ ମୃତଦେହ ମିଳିଥିବାରୁ ପରିଚୟ ମିଳିବା ବେଶ କଷ୍ଟ ହୋଇଥିଲା । ପୋଲିସ ବିଭିନ୍ନ ସ୍ଥାନରେ ମହିଳାଙ୍କ ମୃତଦେହର ପୋଷ୍ଟର ମାରିବା ସହ ତାଙ୍କ ହାତରେ ଥିବା ଚିତା ସଂପର୍କରେ ବର୍ଣ୍ଣନା କରିଥିଲା । ଯାହାକୁ ଦେଖି ପୁଷ୍ପଲତାଙ୍କ ପରିବାର ଲୋକେ ପୋଲିସ ସହ ଯୋଗାଯୋଗ କରିଥିଲେ । ଏହାପରେ ପୋଲିସ ଅପରାଧୀଙ୍କ ନିକଟରେ ପହଞ୍ଚିଥିଲା।
severed head of woman recovered in bhubaneswar police arrest two accused