ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା : ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ରାଣୀ ଝାନ୍ସୀ ରୋଡ ଅନାଜ ମଣ୍ଡି ସ୍ଥିତ ଏକ ଘରେ ଆଜି ସକାଳ ୫ଟା ୨୨ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪୩ ଜଣ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଁଚି ଉଦ୍ଧାର କରୁଛି। ଘଟଣାସ୍ଥଳରେ ୩୦ଟି ଦମକଳ ବାହିନୀ ଗାଡି ନିୟୋଜିତ କରାଯାଇଛି। ଏହି ଘଟଣା ପରେ ବିଜେପି ନେତା ମନୋଜ ତିୱାରୀ ପୀଡିତଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘଟଣାସ୍ଥଳରେ ପହଁଚି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ଆହତଙ୍କୁ ଆରଏମଏଲ ହସ୍ପିଟାଲ ଏବଂ ହିନ୍ଦୁ ରାଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଅନାଜ ମଣ୍ଡି କ୍ଷେତ୍ରରେ ହୋଇଥିବା ଭୟାନକ ଅଗ୍ନିକାଣ୍ଡ ମାମଲା ଯାଂଚ୍ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଦିଲ୍ଲୀର ରାଜସ୍ଵ ମନ୍ତ୍ରୀ କୈଳାଶ ଗେହଲଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବିଜେପି ନେତା ମନୋଜ ତିୱାରୀ କହିଛନ୍ତି ଯେ, ଏହା ଏକ ଦୁଃଖଦ ଘଟଣା। ଯାଂଚ୍ ନହେବା କିଛି କହିବି ନାହିଁ। ମୃତକଙ୍କ ପରିଜନଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ଆହତଙ୍କ ପରିବାରଙ୍କୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ।

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ବହୁ ବରିଷ୍ଠ ନେତା ଦୁଃଖ ପ୍ରକାଶ କରିଛନ୍ତି।