ଶିମିଳିପାଳରେ ବାଘ ବଂଶ ପ୍ରତି ବିପଦ : ୧୨ ବର୍ଷରେ ୭୫ ମହାବଳଙ୍କ ମୃତ୍ୟୁ

୧୦ ବର୍ଷରେ ୧୦୧ ରୁ ୨୮ ବାଘ ସଂଖ୍ୟା ହ୍ରାସ

ଭୁବନେଶ୍ୱର : ଶିମିଳିପାଳରେ ଲୋପ ପାଇବ କି ବାଘ ବଂଶ । ଏମିତି ଆଶଙ୍କା ପଛରେ ରହିଛି ଏମିତି ତଥ୍ୟ ଯାହା ଚମକେଇବା ଭଳି । Wildlife Society of Odisha ତଥ୍ୟ ଅନୁଯାୟୀ ୧୨ ବର୍ଷରେ ୭୫ ମହାବଳ ବାଘଙ୍କ ମୃତ୍ୟୁ ହୋଇଛି ।  ୨୦୦୬ ଗଣନା ଅନୁସାରେ ଶିମିଳିପାଳରେ ୧୦୧ ମହାବଳ ବାଘ ଥିବା ବେଳେ ୨୦୧୬ ଗଣନାରେ ଏହି  ସଂଖ୍ୟା ୨୮କୁ ଖସି ଆସିଛି । ୱାଇଲ୍ଡଲାଇଫ ସୋସାଇଟି ଓଡ଼ିଶା ସେକ୍ରେଟାରୀ ବିଶ୍ବଜିତ୍  ମହାନ୍ତି କହିଛନ୍ତି ।

ମୟୁରଭଞ୍ଜ ଜିଲ୍ଲାର ଅଭୟାରଣ୍ୟରେ ଜଙ୍ଗଲରେ ସର୍ବାଧିକ ବାଘ ଅଛନ୍ତି । କେବଳ ସେତିକି ନୁହେଁ, ଶିମିଳିପାଳରେ ଅଛନ୍ତି କଳା ବାଘ, ଯାହା ବିଶ୍ବର ଆଉ କୋଉଠି ଦେଖିବାକୁ ମିଳନ୍ତିନି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଗତ ୧୨ବର୍ଷରେ ଶହେ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ରିପୋର୍ଟ ଅନୁଯାୟୀ ଜାତୀୟ ହାର ତୁଳନାରେ ଓଡିଶାରେ ବାଘ ସଂଖ୍ୟା ଦ୍ରୁତ ଗତିରେ କମି କମି ଚାଲିଛି।

ବିପଦରେ ବାଘ

ଶିକାରୀଙ୍କ ଟାର୍ଗେଟରେ ମହାବଳ

୧୨ ବର୍ଷରେ ୭୫ଟି ମହାବଳଙ୍କ ମୃତ୍ୟୁ

୧୦ ବର୍ଷରେ ୧୦୧ ରୁ ୨୮ ବାଘ ସଂଖ୍ୟା ହ୍ରାସ

ଓଡ଼ିଶାରେ ଦ୍ରୁତ ଗତିରେ କମୁଛି ବାଘ ସଂଖ୍ୟା

ସନ୍ଦେହ ଘେରରେ ବନବିଭାଗର  ଦକ୍ଷତା

ଶିକାରୀଙ୍କ ଟାର୍ଗେଟରେ ମହାବଳ । ଶିମିଳିପାଳର ଘଞ୍ଚ ଜଙ୍ଗଲ ଭିତରେ ଶିକାରୀ ବେଧଡକ ବୁଲି ଶିକାର କରୁଛନ୍ତି, ଏଣେ ବନବିଭାଗ ହାତ ବାନ୍ଧି ବସିଥିବା ଅଭିଯୋଗ ହୋଇଛି । ଏସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି ବିଧାନସଭା ଉପବାଚସ୍ପତି ସାନନ୍ଦ ମାରାଣ୍ଡି ।

ରାଜ୍ୟର ଅଭୟାରଣ୍ୟରେ ବାଘଙ୍କ ସଂଖ୍ୟା ହ୍ରାସ ପାଇବା ଚିନ୍ତାର ବିଷୟ । ସ୍ଥିତି ଏତେ ଗମ୍ଭୀର ଯେ, ଏବେଠୁ ସଚେତ ନହେଲେ ବାଘ ବଂଶ ଲୋପ ପାଇଯିବ ।