ଐତିହ୍ୟ କ୍ୟାବିନେଟ୍ ବୈଠକରେ ସାତଗୋଟି ପ୍ରସ୍ତାବକୁ ଅନୁମୋଦନ

ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ଋଦ୍ଧିମନ୍ତ କରିବା ପାଇଁ ଦ୍ୱିତୀୟ ଐତିହ୍ୟ

ଭୁବନେଶ୍ୱର : ଆଜି ଐତିହ୍ୟ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବିତ ନିମ୍ନୋକ୍ତ ସାତଗୋଟି ପ୍ରସ୍ତାବକୁ ଅନୁମୋଦନ କରାଗଲା । ତେବେ ସେଗୁଡିକ ହେଲା :

ଓଡ଼ିଶା, ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଏକ ସଂସ୍କୃତି ସମ୍ପନ୍ନ ପରିଚିତ ରାଜନୀତିକ ଆୟତନ । ଭାରତ ସରକାର ୧୯୬୪ ମସିହାରେ ଓଡ଼ିଶୀନୃତ୍ୟକୁ ଶାସ୍ତ୍ରୀୟନୃତ୍ୟ ଏବଂ ୨୦୧୪ ମସିହାରେ ଓଡ଼ିଆଭାଷାକୁ ଷଷ୍ଠତମ ଶାସ୍ତ୍ରୀୟଭାଷାର ମାନ୍ୟତା ପ୍ରଦାନ କରିଛନ୍ତି । ଓଡ଼ିଶା ସରକାର ୨୦୦୮ ମସିହାରେ ଓଡ଼ିଶୀସଂଗୀତକୁ ଶାସ୍ତ୍ରୀୟସଙ୍ଗୀତର ମାନ୍ୟତା ପ୍ରଦାନ କରିଛନ୍ତି । ଓଡ଼ିଶାର ଏହି ପାରମ୍ପରିକ ସଂଗୀତ ଶୈଳୀ ପୁରାତନ ଏବଂ ଶାସ୍ତ୍ରାନୁସାରୀ । ଏହାର ଗାୟନ ପଦ୍ଧତିମଧ୍ୟ ଭାରତର ଅନ୍ୟ ଶାସ୍ତ୍ରୀୟସଂଗୀତଗୁଡିକ ମଧ୍ୟରେ ସ୍ୱତନ୍ତ୍ର । ତେଣୁ ଓଡ଼ିଶୀନୃତ୍ୟପରି ଓଡ଼ିଶୀସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନପାଇଁ ଭାରତସରକାରଙ୍କୁ ଅନୁରୋଧ ନିମନ୍ତେ ପ୍ରସ୍ତାବ ଅନୁମୋଦନ କରାଗଲା ।

ଓଡ଼ିଶାର ଐତିହ୍ୟ ଓ ଏହାର କୀର୍ତ୍ତିରାଜି, ପ୍ରାଚୀନମନ୍ଦିର, ସ୍ତୂପ, ଭାସ୍କର୍ଯ୍ୟଗୁଡ଼ିକର ରକ୍ଷଣବେକ୍ଷଣ ଏବଂ ଅନ୍ୟସମସ୍ତ କାର୍ଯ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସମ୍ପାଦିତ ହେଉଥିବାରୁ ପ୍ରତ୍ୟେକକାର୍ଯ୍ୟର ଗୁଣବତ୍ତାର ଅନୁଶୀଳନ ଓ ତଦାରଖକାର୍ଯ୍ୟ ସଂସ୍କୃତି ନିର୍ଦ୍ଦେଶାଳୟର ଜଣେ ମାତ୍ର ନିର୍ଦ୍ଦେଶକଙ୍କ ଅଧୀନରେ ପରିଚାଳିତ ହେଉଥିବାରୁ ଏହାର ପରିଚାଳନା ଅତ୍ୟନ୍ତ କଷ୍ଟସାଧ୍ୟ ହେଉଅଛି । ତେଣୁ ଓଡ଼ିଶା ରାଜ୍ୟ ପ୍ରତ୍ନ୍‌ତତ୍ତ୍ୱବିଭାଗର ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀ ସୃଷ୍ଟି ନିମନ୍ତେ ପ୍ରସ୍ତାବ ଅନୁମୋଦନ କରାଗଲା ।

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଅଧୀନରେ ୧୫ଗୋଟି ଗୁରୁତ୍ୱପୂର୍ଣ୍ଣ ଉପବିଭାଗ ସମେତ ରାଜ୍ୟର ସମସ୍ତ ଜିଲ୍ଲା ସଂଗ୍ରହାଳୟଗୁଡ଼ିକ ପରିଚାଳିତ ହେଉଅଛି । ରାଜ୍ୟ ସଂଗ୍ରହାଳୟରେ ଗଚ୍ଛିତ ଥିବା ପ୍ରାଚୀନ ସାମଗ୍ରୀଗୁଡ଼ିକ ବିଶ୍ୱରେ ଅନନ୍ୟ । ଏଗୁଡ଼ିକର ରକ୍ଷଣବେକ୍ଷଣ ସମେତ ପ୍ରାଚୀନ ପୋଥିଗୁଡ଼ିକର ଡିଜିଟାଇଜେସନ, ପଞ୍ଜୀକରଣ, ସଂରକ୍ଷଣ ଏବଂ ପ୍ରକାଶନ ଦିଗରେ କାର୍ଯ୍ୟ ଅବ୍ୟାହତ ରହିଛି । ଏତଦ୍‌ବ୍ୟତୀତ ରାଜ୍ୟ ସଂଗ୍ରହାଳୟ ଅଧୀନରେ କଟକଟସ୍ଥିତ ଆନନ୍ଦଭବନ ସଂଗ୍ରହାଳୟ, କେନ୍ଦୁବିଲ୍ୱସ୍ଥିତ ଜୟଦେବ ସଂଗ୍ରହାଳୟର ପରିଚାଳନା ଓ ରକ୍ଷଣବେକ୍ଷଣ କାର୍ଯ୍ୟ ଅନ୍ତର୍ଭୁକ୍ତ । ଏହି ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଦ୍ୱାରା ସମ୍ପାଦିତ ହେଉଥିବାରୁ ପ୍ରତ୍ୟେକ କାର୍ଯ୍ୟର ଗୁଣବତ୍ତାର ଅନୁଶୀଳନ ଓ ତଦାରଖକାର୍ଯ୍ୟ ସଂସ୍କୃତି ନିର୍ଦ୍ଦେଶାଳୟର ଜଣେ ମାତ୍ର ନିର୍ଦ୍ଦେଶକଙ୍କ ଅଧୀନରେ ପରିଚାଳିତ ହେଉଥିବାରୁ ଏହାର ପରିଚାଳନା ଅତ୍ୟନ୍ତ କଷ୍ଟସାଧ୍ୟ ହେଉଅଛି । ତେଣୁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀ ସୃଷ୍ଟି ନିମନ୍ତେ ପ୍ରସ୍ତାବ ଅନୁମୋଦନ କରାଗଲା ।

ଓଡ଼ିଶା ରାଜ୍ୟସଂଗ୍ରହାଳୟରେ ଗଚ୍ଛିତ ପୁରାତନ କୀର୍ତ୍ତିରାଜି, ପ୍ରାଚୀନମୁଦ୍ରା ଓ ଅଭିଲେଖ, ତାଳପତ୍ର ପୋଥି, ନୃତତ୍ତ୍ୱ, ଖଣି ଓ ଭୂତତ୍ତ୍ୱ ଆଦି ଅମୂଲ୍ୟ ସମ୍ପଦ, ନୌବାଣିଜ୍ୟ ପରମ୍ପରା, ହାତୀଦାନ୍ତ ଓ କାରୁକଳା, ଅସ୍ତ୍ରଶସ୍ତ୍ର, ବ୍ରୋଞ୍ଜମୂର୍ତ୍ତି ଓ ପାରମ୍ପରିକଚିତ୍ର ପୃଥିବୀର କୋଣଅନୁକୋଣରେ ପହଞ୍ଚାଇବା ଉଦ୍ଦେଶ୍ୟରେ, ସାମ୍ପ୍ରତିକ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ସଂଗ୍ରହାଳୟକୁ ଭର୍ଚୁଆଲ୍ କରାଯିବା ସଂଗେ ସଂଗେ ଅନୁରୂପ ଢାଞ୍ଚାରେ ପ୍ରବାଦପୁରୁଷ ବିଜୁବାବୁଙ୍କ ଆନନ୍ଦଭବନ ସଂଗ୍ରହାଳୟକୁ ମଧ୍ୟ ଭର୍ଚୁଆଲ୍ କରାଯିବା ନିମନ୍ତେ ପ୍ରସ୍ତାବ ଅନୁମୋଦନ କରାଗଲା ।

ବିଭିନ୍ନ ସାଂସ୍କୃତିକକ୍ଷେତ୍ରରେ ଯୋଗ୍ୟ ବିବେଚିତ କଳାକାରମାନଙ୍କୁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରଦାନ କରୁଥିବା ଏକାଡେମୀ ପୁରସ୍କାରଗୁଡ଼ିକର ଅର୍ଥରାଶି ବୃଦ୍ଧି ନିମନ୍ତେ ପ୍ରସ୍ତାବ ଅନୁମୋଦନ କରାଗଲା । ପୁରସ୍କୃତ ବ୍ୟକ୍ତିବିଶେଷଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଧର୍ମପଦ ସମ୍ମାନ ଏବଂ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ ନିମନ୍ତେ ଅର୍ଥରାଶି ଟ.୧,୦୦,୦୦୦/- (ଏକଲକ୍ଷ) ଟଙ୍କାରୁ ଟ.୫,୦୦,୦୦୦/- (ପାଞ୍ଚଲକ୍ଷ) ଟଙ୍କା, ଏକାଡେମୀଗୁଡ଼ିକର ପୁରସ୍କାରପାଇଁ ଅର୍ଥରାଶି ଟ.୫୦,୦୦୦/- (ପଚାଶହଜାର) ଟଙ୍କାରୁ ଟ.୨,୦୦,୦୦୦/- (ଦୁଇଲକ୍ଷ) ଟଙ୍କା ତଥା ଏକାଡେମୀ ସମ୍ବର୍ଦ୍ଧନା ରାଶି ଟ.୧,୦୦,୦୦୦/- (ଏକଲକ୍ଷ) ଟଙ୍କାକୁ ବୃଦ୍ଧି କରାଗଲା ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ବିଭିନ୍ନ ଏକାଡେମୀ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ କେନ୍ଦ୍ରଗୁଡ଼ିକରେ ଖାଲି ପଡ଼ିଥିବା କର୍ମକର୍ତ୍ତା ନିଯୁକ୍ତି ପ୍ରକ୍ରିୟା ଏକ ମୁକ୍ତ ବିଜ୍ଞାପନ ମାଧ୍ୟମରେ ଓ ଆବଶ୍ୟକସ୍ଥଳେ ମନୋନୟନ ମାଧ୍ୟମରେ ଚୟନ କରାଯିବା ପାଇଁ ପ୍ରସ୍ତାବ ଅନୁମୋଦନ କରାଗଲା ।

ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଭାରତବର୍ଷର ଜଣେ ବିଶିଷ୍ଟ ମାନବବାଦୀ ବ୍ୟକ୍ତିତ୍ୱ । ଓଡ଼ିଶା ଓ ଭାରତର ମୁକ୍ତିସଂଗ୍ରାମର ଅନ୍ୟତମ ଅଗ୍ରଣୀ ସୈନିକ । ନବଉତ୍କଳର ସ୍ଥପତି । ସତ୍ୟବାଦୀ ବକୁଳ ବନବିଦ୍ୟାଳୟ ଓ ସମ୍ବାଦପତ୍ର ‘ସମାଜ’ର ପ୍ରତିଷ୍ଠାତା । ଶିକ୍ଷା, ରାଜନୀତି, ସାହିତ୍ୟ, ସଂସ୍କୃତି ଓ ଅଧ୍ୟାତ୍ମବୋଧକୁ ସମୀକୃତ କରିବାରେ ତାଙ୍କ ସାଧନା ଅନନ୍ୟ । ତାଙ୍କ ଜନ୍ମପୀଠ (ସୁଆଣ୍ଡୋ)ର ସାମଗ୍ରୀକ ବିକାଶ ଓ ଉନ୍ନତିକରଣ ପାଇଁ ସରକାର ଏକ ପ୍ରକଳ୍ପ ପ୍ରସ୍ତୁତ କରୁଛନ୍ତି, ଯାହାର ଆନୁମାନିକ ଆକଳନ ସାଢ଼େ ଏଗାରକୋଟି ଟଙ୍କା । ଏହି ପଦକ୍ଷେପ ପାଇଁ ପ୍ରସ୍ତାବ ଅନୁମୋଦନ କରାଗଲା ।