ତ୍ରିଚି ମନ୍ଦିରରେ ଦଳାଚକଟା: ୭ ଭକ୍ତ ମୃତ,୧୦ରୁ ଅଧିକ ଆହତ

ତ୍ରିଚି : ତାମିଲନାଡୁ ତ୍ରିଚି ଜିଲା ଅଧୀନ ମୁତାୟାମାପାଲାୟମ ଗ୍ରାମ ସ୍ଥିତ କାରୁପାସ୍ୱାମୀ ମନ୍ଦିରରେ ରବିବାର ଦଳାଚକଟାରେ ୭ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି ଓ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ଆହତଙ୍କୁ ଥୁରାୟୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଚିତ୍ର ପୂର୍ଣ୍ଣିମା ଉପଲକ୍ଷେ ସହସ୍ରାଧିକ ଶ୍ରଦ୍ଧାଳୁ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଆସିଥିଲେ। ମନ୍ଦିର ପୂଜକ ବାଣ୍ଟୁଥିବା ‘ପାଦି କାସୁ’ ମୁଦ୍ରା ପାଇବା ଚେଷ୍ଟାରେ ଶତାଧିକ ଶ୍ରଦ୍ଧାଳୁ ଠେଲାପେଲା କରିଥିଲେ। ଏଥିରୁ କିଛି ଲୋକ ଓ ମହିଳା ତଳେ ପଡ଼ିଯାଇଥିଲେ। ଅନ୍ୟ ଶ୍ରଦ୍ଧାଳୁମାନେ ସେମାନଙ୍କ ଉପରେ ଚଢି ଚାଲଯାଇଥିଲେ। ଏଥିରେ ୭ ଭକ୍ତଙ୍କ ମୃତ୍ୟୁ ଘଟିଛି। ପୁଲିସ୍‍ କହିବା ଅନୁସାରେ ‘ପାଦି କାସୁ’ ମୁଦ୍ରା ଘରକୁ ସମ୍ରୁଦ୍ଧି ଓ ସମ୍ପତ୍ତି ଆଣିଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଫଳରେ ଏହି ମୁଦ୍ରା ପାଇବାକୁ ଭକ୍ତଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ତଦନ୍ତ ଆରମ୍ଭ ହୋଇଛି।