ଜାନୁୟାରୀ ୧୫ ସୁଦ୍ଧା ବକେୟା ବିଦ୍ୟୁତ୍ ବିଲ କର ପୈଠ; ନହେଲେ କଟାଯିବ ଲାଇନ୍

ଭୁବନେଶ୍ୱର: ଆଗାମୀ ଜାନୁୟାରୀ ୧୫ ସୁଦ୍ଧା ବକେୟା ବିଦ୍ୟୁତ୍ ବିଲ ପୈଠ ନ କଲେ ଲାଇନ୍ କଟାଯିବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସେସୁର ବର୍ତ୍ତମାନ ବିଭିନ୍ନ ଶ୍ରେଣୀର ଗ୍ରାହକଙ୍କ ଉପରେ ୧ ହଜାର ୯ ଶହ ୭୧ କୋଟି ଟଙ୍କା ବକେୟା ପଡ଼ିଛି । ଆସନ୍ତା ଜାନୁୟାରୀ ୧୫ ସୁଦ୍ଧା ବକେୟା ବିଲ୍‌ ପୈଠ କରିବାକୁ ଗ୍ରାହକମାନଙ୍କୁ ମହଲତ ଦିଆଯାଇଛି। ଗ୍ରାହକମାନଙ୍କୁ ଦିଆଯାଇଥିବା ନିର୍ଦ୍ଧାରିତ ସମୟ ମଧ୍ୟରେ ବିଦ୍ୟୁତ ବିଲ ପୈଠ ନ ହେଲେ ଜାନୁୟାରୀ ୧୬ରୁ ଲାଇନ୍‌ କାଟି ଦିଆଯିବ।

ସାଧାରଣ ଖାଉଟିଙ୍କ ଉପରେ ୨ ହଜାର କୋଟି ଟଙ୍କାର ବିଲ୍‌ ବାକି ଅଛି। ଏହି ବକେୟା ରାଶିର ୯୨ ପ୍ରତିଶତ ଘରୋଇ ଉପଭୋକ୍ତାଙ୍କ ଉପରେ ରହିଛି । ପ୍ରାୟ ୧ ହଜାର ୨୩ କୋଟି ଟଙ୍କା ଘରୋଇ ଉପଭୋକ୍ତାଙ୍କ ଠାରୁ ସେସୁ ଆଦାୟ କରିବା ଲକ୍ଷ୍ୟ ରଖିଛି । ସେହିଭଳି ମୋଟ ବକେୟା ରାଶିରୁ ୨୦୯ କୋଟି ଟଙ୍କାକୁ ନେଇ ବିବାଦ ରହିଛି । ଏଥିରୁ ୧୦୮ କୋଟି ଟଙ୍କାର ବିଲ ଶିଳ୍ପସଂସ୍ଥା ଉପରେ ରହିଛି ବୋଲି କହିଛନ୍ତି ଅରୁଣ ବୋଥ୍ରା। ଲୋକଙ୍କୁ ଗୁଣାତ୍ମକ ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ହେଲେ ଆବଶ୍ୟକ ଅର୍ଥ ଦରକାର ଅଛି ବୋଲି ସିଇଓ ଅରୁଣ ବୋଥ୍ରା ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବକେୟା ବିଦ୍ୟୁତ ବିଲ ନେଇ ଖାଉଟିଙ୍କ ପାଖକୁ ମେସେଜ୍‌ ଯିବ। ଉପଭୋକ୍ତା ବକେୟା ବିଲ୍‌କୁ ୬ଟି କିସ୍ତିରେ ଦେଇପାରିବେ।