ଏ ସଙ୍କଟର ସାମ୍ନା କରି ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସେବା ଓ ସୁରକ୍ଷା ପାଇଁ କାମ କରିବାର ସମୟ: ପ୍ରଦୀପ୍ତ ନାଏକ

କୋଭିଡ୍-୧୯ ଉପରେ ସଚେତନତା କର୍ମଶାଳା

ଭୁବନେଶ୍ୱର:  ଆଜିର ‘Sensitization workshop on Covid-19’ (କୋଭିଡ୍-୧୯ ଉପରେ ସଚେତନତା କର୍ମଶାଳା) ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମହୋଦୟ, ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ, ସରକାରଙ୍କ ମନ୍ତ୍ରୀ ପରିଷଦର ସଦସ୍ୟ ଗଣ ଏବଂ ଉପସ୍ଥିତ ଥିବା ମୋର ସମସ୍ତ ସାଥୀ ବିଧାୟକ ବନ୍ଧୁ ଓ ଓଡ଼ିଶା ସରକାରଙ୍କ ପ୍ରଶାସକ ବନ୍ଧୁମାନଙ୍କୁ ଏହି ସଚେତନତା କର୍ମଶାଳାକୁ ସ୍ୱାଗତ କରୁଛି ।

 

  • କରୋନା ମହାମାରୀ ସମୟରେ ଆମେ ସମସ୍ତେ ମିଶି ଏ ସଙ୍କଟର ସାମ୍ନା କରି ଆମ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସେବା ଓ ସୁରକ୍ଷା ପାଇଁ କାମ କରିବାର ସମୟ ।
  • କରୋନା ମହାମାରୀ ମୁକାବିଲାର ପ୍ରାରମ୍ଭିକ ସମୟରେ ଆମକୁ ଲାଗୁଥିଲା ଆମ ରାଜ୍ୟ ଅତ୍ୟନ୍ତ ଉଚ୍ଚମାନର ପରିଚାଳନା ସହ ଏହି ମହାମାରୀକୁ ନିୟନ୍ତ୍ରଣରେ ରଖିବାରେ ବହୁମାତ୍ରାରେ ସଫଳ ହେବ ।
  • ଏହି ସଙ୍କଟ ସମୟରେ ଦଳମତ ନିର୍ବିଶେଷରେ ସମସ୍ତେ ସରକାରଙ୍କ ସହ କାମ କରିବା ପାଇଁ ମୁଁ ଓ ମୋର ଦଳ ମଧ୍ୟ ସହମତି ପ୍ରକାଶ କରିଥିଲୁ ।
  • ଯେମିତି ଯେମିତି ସମୟ ଗଡ଼ି ଚାଲିଲା କୋଭିଡ଼୍ ପରିଚାଳନାରେ ଅନେକ ତ୍ରୁଟି ବିଚ୍ୟୁତି ସାମ୍ନାକୁ ଆସିଲା । ଏବେ ମନରେ ଭୟ ଓ ଆଶଙ୍କା ଆସୁଛି ଯେ ଏହି ମହାମାରୀ ଆମ ରାଜ୍ୟର କିଛି ସ୍ଥାନରେ ଆମର ନିୟନ୍ତ୍ରଣ ବାହାରକୁ ଚାଲିଯାଉନି ତ?
  • ଏପରି ସଙ୍ଗୀନ ପରିସ୍ଥିତିରେ ସରକାର, ପ୍ରଶାସନ, ଜନପ୍ରତିନିଧି, ସାମାଜିକ ସଂଗଠନ ଏବଂ ନାଗରିକ ସମାଜର ମିଳିତ ପ୍ରୟାସର ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ମୁଁ ମନେକରୁଛି । ଯଦି ରାଜ୍ୟର ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ସମସ୍ତେ ଏକ ମନ ଏକ ପ୍ରାଣ ହୋଇ ଜନସେବାକୁ ବାହାରିବା ନାହିଁ ଏବଂ ରାଜ୍ୟ ସରକାର ଓ ପ୍ରଶାସନ ସମାଜର ସବୁ ବର୍ଗକୁ ଏକାଠି କରି କରୋନା ମୁକାବିଲାକୁ ଏକ ଜନଆନ୍ଦୋଳନର ରୂପ ଦେବା ପାଇଁ ପ୍ରୟାସ କରିବେ ନାହିଁ – ତେବେ ଇତିହାସ ଆମକୁ କେବେ କ୍ଷମା ଦେବ ନାହିଁ ।
  • କୋଭିଡ୍ ନେଇ ରାଜ୍ୟ ସରକାରଙ୍କ ତରଫରୁ ଯେଉଁ ତଥ୍ୟ ସାର୍ବଜନୀନ କରାଯାଇଛି ତାହାକୁ ମୁଁ କେବଳ ଉଲ୍ଲେଖ କରୁଛି ।
  1. -କେବଳ ଜୁଲାଇ ମାସରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଟପିଲାଣି ।
  2. ଗତ ୨୧ ତାରିଖରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧ ହଜାରରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।
  3. ଜୁଲାଇ ମାସରେ କରୋନାରେ ୧୩୪ ଜଣଙ୍କର ଜୀବନ ଗଲାଣି ।
  4. ଏପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ୮୬ ରେ ପହଞ୍ଚିଲାଣି ।
  5. ରାଜ୍ୟରେ ଦୈନିକ ୪୦୦ ରୁ ଉର୍ଦ୍ଧ୍ୱ ଲୋକାଲ କେସ୍ ବାହାରୁଛି । ଏହା ସାମାଜିକ ସଂକ୍ରମଣର ଡ଼ର ତିଆରି କରୁଛି ।
  • ଲଗାତାର ଭାବରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ମାଲକାନଗିରି, କୋରାପୁଟ, ସୁନ୍ଦରଗଡ଼ ଓ ବାଲେଶ୍ୱରର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି ।
  • ଗଞ୍ଜାମ ଜିଲ୍ଲା ଉପରେ ରାଜ୍ୟ ସରକାରଙ୍କର ସର୍ବାଧିକ ଫୋକସ ରହିଛି । ମାନ୍ୟବର ବାଚସ୍ପତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଞ୍ଜାମକୁ ଅଧିକ ଆର୍ଥିକ ପ୍ୟାକେଜ୍, ଡ଼ାକ୍ତର ଓ ପ୍ରଶାସନିକ ଅଧିକାରୀଙ୍କୁ ସାମିଲ କରାଯାଇ ପରିଚାଳନାକୁ ଉତ୍ତମ କରାଯିବା ଉଦ୍ୟମ କରିଥିଲେ ମଧ୍ୟ ଫଳପ୍ରଦ ହେଲାଭଳି ଦେଖାଯାଉନାହିଁ ।
  • କୋଭିଡ୍ ଯୋଦ୍ଧା ଭାବରେ କାମ କରୁଥିବା ଜଣେ ପୋଲିସ ଏଏସଆଇଙ୍କ ମରଶରୀରକୁ ଛୁଇଁବା ପାଇଁ କେହି ରହିଲେ ନାହିଁ । ମରଶରୀର ଦୀର୍ଘ ସମୟ ପଡ଼ି ରହିଲା । ଗଞ୍ଜାମରେ ଏ ପ୍ରକାର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ।
  • ସେହି ଗଞ୍ଜାମ ଜିଲ୍ଲାରେ ଆମ୍ବୁଲାନ୍ସ ଆସି ଜଣେ କୋଭିଡ୍ ଯୋଦ୍ଧା ଓ ଜଣେ ସାଧାରଣ ବ୍ୟକ୍ତିଙ୍କୁ ନନେଇ ଫେରିଯିବାରୁ ଦୁଇ ବ୍ୟକ୍ତିଙ୍କ ମୃତ୍ୟୁ ହେଲା । ଏହି ଦୁଇ ମୃତକଙ୍କ କୁନି ଝିଅ ଓ ପୁଅଙ୍କ ହୃଦୟ ବିଦାରକ ଭିଡ଼ିଓ ଯାହା ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି ତାହା ହୃଦୟ ଥରାଇ ଦେଉଛି । ଯଦି ପ୍ରଶାସନ ଟିକେ ଦାୟିତ୍ୱ ସମ୍ପନ୍ନ ହୋଇଥାନ୍ତା ତା’ ହେଲେ ଏହି ଦୁଇ ଜଣଙ୍କ ଜୀବନ ହୁଏତ ବଞ୍ଚାଯାଇ ପାରିଥାନ୍ତା ।
  • ଗୋଟିଏ ପକ୍ଷରେ ଅନ୍ୟ ଜିଲ୍ଲା ମାନଙ୍କରୁ ଡ଼ାକ୍ତର ଓ ପ୍ରଶାସନିକ ଅଧିକାରୀଙ୍କୁ ବହୁ ସଂଖ୍ୟାରେ ନେଇ ଗଞ୍ଜାମ ଜିଲ୍ଲା ପଠାଯାଉଛି । ଗଞ୍ଜାମର ସ୍ଥିତି ସମ୍ଭାଳିବା ପାଇଁ ସରକାର ପଦକ୍ଷେପ ନେବା ଉଚିତ୍ । ମାତ୍ର ଯେଉଁ ଯେଉଁ ସ୍ଥାନରୁ ଡାକ୍ତର ମାନଙ୍କୁ ସ୍ଥାନାନ୍ତର କରାଯାଉଛି ସେ ଅଞ୍ଚଳର ଲୋକ ମାନଙ୍କର କୋଭିଡ୍ ଓ ଅନ୍ୟାନ୍ୟ ସାଧାରଣ ଚିକିତ୍ସା ବ୍ୟବସ୍ଥା କିପରି କରାଯିବ ତାହା ମଧ୍ୟ ସରକାର ଗୁରୁତ୍ୱର ସହ ବିଚାର କରିବା ଅତ୍ୟନ୍ତ ଜରୁରୀ ।
  • ଆଜିର ଅବସରରେ ମୁଁ ପଶ୍ଚିମ ଓଡ଼ିଶା ଉପରେ କିଛି ତଥ୍ୟ ରଖିବା ପାଇଁ ଚାହୁଁଛି।
  • ପୂର୍ବରୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ୩୦ଟି ବେଡ୍ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଉଥିଲା ବେଳେ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇନଥିବାରୁ ଜନ ଅସନ୍ତୋଷ ଦେଖାଦେଉଛି ।
  • ବୁର୍ଲା ମେଡିକାଲ କଲେଜକୁ କରୋନା ପରୀକ୍ଷା କରିବାକୁ ଆସୁଥିବା ଲୋକଙ୍କ ସ୍ୱାପକୁ ସିଧାସଳଖ ଭୁବନେଶ୍ୱରକୁ ପଠାଇ ଦିଆଯାଉଥିବା କାରଣରୁ ରିପୋର୍ଟ ଆସିବାରେ ବିଳମ୍ବ ପରିଲକ୍ଷିତ ହେଉଛି । ସମ୍ଭାବ୍ୟ କରୋନା ପଜିଟିଭ୍ ବାହରିଥିବା ଲୋକଙ୍କୁ ହସ୍ପିଟାଲ୍ ନେବା ପର୍ଯ୍ୟନ୍ତ ସେ ଗାଁରେ ବୁଲାବୁଲି କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମଣ କରିବାର ସମସ୍ୟା ଦେଖାଗଲାଣି ।
  • ଅପରପକ୍ଷରେ ବୁର୍ଲା ମେଡିକାଲ୍ ଅନ୍ୟ ଜିଲ୍ଲାର ଲୋକମାନଙ୍କ ସାମ୍ପଲ୍ ଗ୍ରହଣ କରୁନାହିଁ ବୋଲି ଶୁଣାଯାଉଛି । ଏହାପ୍ରତି ଧ୍ୟାନ ଦେବାକୁ ମୁଁ ଅନୁରୋଧ କରୁଛି ।
  • ଗର୍ଭବତୀ ମହିଳାଙ୍କ ପାଖରେ କରୋନା ଲକ୍ଷଣ ଦେଖାଯାଉଥିବା ବେଳେ ସେମାନଙ୍କ ପାଇଁ ପଶ୍ଚିମ ଓଡ଼ିଶାରେ କୌଣସି କୋଭିଡ୍ ହସ୍ପିଟାଲରେ ବ୍ୟବସ୍ଥା ନାହିଁ ବୋଲି ଅଭିଯୋଗ ଆସୁଛି । ଏହା ପ୍ରତି ଧ୍ୟାନ ଦେବାକୁ ମୁଁ ଆଶା ରଖୁଛି ।
  • ଏବେ ଏହି ରୋଗର ନୂଆ ଲକ୍ଷଣ କାର୍ଡିଆକ୍ ଏବଂ ନ୍ୟୁରୋ ଆରେଷ୍ଟ୍ ପରିଲକ୍ଷିତ ହେଉଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ମାତ୍ର ଏହି ସମ୍ପର୍କିତ ରୋଗୀଙ୍କ ପାଇଁ ପଶ୍ଚିମ ଓଡିଶାର କୌଣସି କୋଭିଡ଼୍ ହସ୍ପିଟାଲରେ ବ୍ୟବସ୍ଥା ନାହିଁ । କରୋନା ରୋଗୀଙ୍କ ଚିକିତ୍ସା କରିବା ପାଇଁ କୌଣସି ବି ଡାକ୍ତର ଇଚ୍ଛାପ୍ରକାଶ କରୁନାହାନ୍ତି ଏବଂ ଏହି କାମ ବେସରକାରୀ ହସ୍ପିଟାଲର ବୋଲି କହୁଛନ୍ତି ।
  • ଗତକାଲି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାଏକ ଲୋକଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେବାକୁ ଯାଉଥିବା ସମୟରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁଇ ବିଧାୟକଙ୍କୁ ପୋଲିସ ପ୍ରଶାସନ ଦୁର୍ବ୍ୟବହାର କରିଛନ୍ତି । ଜନ ସମସ୍ୟା ଉପରେ ଜନ ପ୍ରତିନିଧିଙ୍କ କଥା ପ୍ରଶାସନ ଶୁଣୁନାହିଁ । ସଙ୍ଗୀନ ଦଫା ସହିତ ମିଥ୍ୟା କେସ୍ ଲଗାଇ ପ୍ରଶାସନ ପ୍ରେସ୍ ରିଲିଜ୍ ମାଧ୍ୟମରେ ଦୁଇ ବିଧାୟକଙ୍କୁ ଅପମାନିତ କରିଛି । ଏହି ଘଟଣାକୁ ମୁଁ ନିନ୍ଦା କରୁଛି ଏବଂ ଲୋକ ପ୍ରତିନିଧିଙ୍କ ପ୍ରତି ଏଭଳି ଆଚରଣ ବଡ ଚିନ୍ତାଜନକ ବିଷୟ । ମାନ୍ୟବର ବାଚସ୍ପତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ମିଟିଂରେ ଉପସ୍ଥିତ ଅଛନ୍ତି । ଏପରି ପ୍ରସଙ୍ଗକୁ ବିଚାରକୁ ନେଇ ଜନପ୍ରତିନିଧି ମାନଙ୍କର ଜନ ସମସ୍ୟାକୁ କିପରି ସୂଚାରୁରୂପେ ସମାଧାନ କରାଯାଇପାରିବ, ଏଥିପାଇଁ ଦୃଷ୍ଟି ଦେବାକୁ ମୁଁ ଅନୁରୋଧ କରୁଛି ।
  • ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନାର ଆତ୍ମନିର୍ଭର ଭାରତ ହେଉ କିମ୍ବା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗରିବ ପରିବାରକୁ ମାଗଣା ଗ୍ୟାସ ଯୋଗାଣ ହେଉ, ଏହାସହିତ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆମ ରାଜ୍ୟର 80 ପ୍ରତିଶତରୁ ଅଧିକ ଲୋକ ଏହି ଯୋଜନାରେ ସାମିଲ ହୋଇପାରିଛନ୍ତି । ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ମୁଣ୍ଡପିଛା 5 କେଜି ଚାଉଳ, ପରିବାର ପିଛା 1 କେଜି ଡ଼ାଲିର ବ୍ୟବସ୍ଥା କରିଛନ୍ତି । ସବୁ ଯୋଗ୍ୟ ପରିବାରକୁ ଯେପରି ହକ୍ ମିଳିବ ତାହାକୁ ସୁନିଶ୍ଚିତ କରାଯିବା ଜରୁରୀ ବୋଲି ମୁଁ ଆଶା ରଖୁଛି ।
  • ଏହି ସମୟରେ ଗରିବ ଲୋକ ମାନଙ୍କ ପାଇଁ ଯେଉଁ ସରକାରୀ ସୁବିଧା ଓ ସହଯୋଗ ମିଳୁଛି ରାଜ୍ୟର ବିଭିନ୍ନ ସ୍ଥାନ ମାନଙ୍କରେ ତ୍ରୁଟି ବିଚ୍ୟୁତି ଦେଖାଦେଉଛି । ତେଣୁ ତାହାକୁ ସମାଧାନ କରାଯିବ ବୋଲି ମୁଁ ଆଶା ରଖୁଛି ।
  • ରାଜ୍ୟର ରାଜଧାନୀ ଭୁବନେଶ୍ୱର ସହିତ ବିଭିନ୍ନ ସହରାଞ୍ଚଳରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଦେଖାଦେଲାଣି । ଏଥିପାଇଁ ମୋର ପରାମର୍ଶ ମାନ୍ୟବର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ  ଅମିତ ଶାହାଙ୍କର ପରାମର୍ଶ ନେବା ସହିତ ରାଜ୍ୟ ସରକାର ଯଥାଶୀଘ୍ର କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପତ୍ର ଲେଖି ଦିଲ୍ଲୀରେ ଯେପରି ସହରାଞ୍ଚଳରେ କରୋନାର ମୁକାବିଲା କରାଯାଇଛି ସେହିପରି ଓଡ଼ିଶାର ସହରାଞ୍ଚଳକୁ ଏଥିରେ ସାମିଲ କରିବା ପାଇଁ ନିବେଦନ କରିବାକୁ ମୁଁ ଅନୁରୋଧ କରୁଛି ।
  • ଏହି ସବୁ ଘଟଣାବଳିକୁ ଗୁରୁତ୍ୱ ଦେବା ପାଇଁ ମୁଁ ମାନ୍ୟବର ବାଚସ୍ପତି ଏବଂ  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି ।