ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ଶେୟାର ବଜାର ସରଗରମ:୨୨୦୦ ଅଙ୍କ ଉପରକୁ ଉଠିଲା ସେନସେକ୍ସ

ମୁମ୍ବାଇ:କର୍ପୋରେଟ୍ ଟ୍ୟାକ୍ସରେ ହ୍ରାସ ଓ କ୍ୟାପିଟାଲ ଗେନ୍ସ ସରଚାର୍ଜରେ ରିହାତି ଦେବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ମାତ୍ରେ ଘରୋଇ ପୁଞ୍ଜି ବଜାର ଝୁମି ଉଠିଛି। ଅପରାହ୍ନ ୨ଟା ୨୦ ମିନିଟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୨୨୮୦ ଅଙ୍କ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ବର୍ତ୍ତମାନ ଏହା ପ୍ରାୟ ୨୨୦୦ ଅଙ୍କ ଉପରକୁ ଉଠି ୩୮,୨୦୦ ଉପରେ କାରବାର କରୁଛି। ସେନସେକ୍ସରେ ମାତ୍ର ଗୋଟିଏ ଦିନରେ ପ୍ରାୟ ୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ଘରୋଇ ପୁଞ୍ଜି ବଜାରର ଇତିହାସରେ ପ୍ରଥମ ଥର ଗୋଟିଏ ଦିନରେ ୨୨୦୦ ଅଙ୍କ ବୃଦ୍ଧି ଦେଖିବାକୁ ମିଳିଛି। ଏହା ପୂର୍ବରୁ ୨୦୦୯ ମେ ୧୮ରେ ଘରୋଇ ପୁଞ୍ଜି ବଜାରରେ ୨,୧୧୦ ଅଙ୍କ ବୃଦ୍ଧି ଘଟିଥିଲା। ଦିନର ଶେଷ ବେଳକୁ ସେନସେକ୍ସ ୧୯୨୧.୧୫ ଅଙ୍କ ଉପରକୁ ଉଠି ୩୮,୦୧୪.୬୨ ଏବଂ ନିଫଟି ୫୬୯ ଅଙ୍କ ଉପରକୁ ଉଠି ୧୧,୨୦୦ରେ କାରବାର ବନ୍ଦ ହୋଇଛି।

ସେହି ସମୟରେ ତତ୍କାଳୀନ ୟୁପିଏ ସରକାର ପୁଣି ଥରେ କ୍ଷମତାକୁ ଫେରିବାର ଉତ୍ସବ ଘରୋଇ ବଜାର ପାଳନ କରିଥିଲା। ଏବେ କର୍ପୋରେଟ୍ ସେକ୍ଟର ଓ ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କୁ ଟ୍ୟାକ୍ସରେ ରିହାତି ଦେବାରୁ ଶୁକ୍ରବାର ଦେଶର ଘରୋଇ ପୁଞ୍ଜି ବଜାରରେ ଏହି ବୃଦ୍ଧି ଦେଖିବାକୁ ମିଳିଛି। ସପ୍ତାହର ଶେଷ କାରବାର ଦିନ ପର୍ଯ୍ୟନ୍ତ ସେନସେକ୍ସ ଓ ନିଫଟି ଆହୁରି ଉପରକୁ ଉଠିପାରେ। ଆଜି ନିଫଟି ମଧ୍ୟ ୫୦୦ରୁ ଅଧିକ ଅଙ୍କ ଉପରକୁ ଉଠିଛି।