ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପରଲୋକ

ଭୁବନେଶ୍ୱର:ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କର ୫୬ ବର୍ଷ ବୟସରେ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ପ୍ରାଣ ହରାଇଛନ୍ତି ।

ଦିଲ୍ଲୀପ ଶତପଥୀ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ । ଗତକାଲି ସନ୍ଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବହୁ ବିଶିଷ୍ଠ ବ୍ୟକ୍ତି ଶ୍ରୀ ଶତପଥୀଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ କରିବା ସହତ ଶୋକବ୍ୟକ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ସମେତ ବହୁ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

୧୯୬୩ ମସିହାରେ ଜନ୍ମ ଗ୍ରହଣ କରିଥିବା ଦିଲ୍ଲୀପ ଓଡ଼ିଆ ସାମ୍ବାଦିକତା ଜଗତରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିଲେ । ସେ ଏକ ଦୈନିକ ଖବର କାଗଜରୁ ନିଜର ସାମ୍ବାଦିକ ଜୀବନୀ ଆରମ୍ଭ କରିଥିଲେ । ଏହା ପରେ ବିଜନେସ୍ ଷ୍ଟାଣ୍ଡାର୍ଡର ରେସିଡେନସିଆଲ ଏଡିଟର ଭାବେ ସେ ପ୍ରାୟ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେବ କାର୍ଯ୍ୟ କରୁଥିଲେ । ମାତ୍ର ତାଙ୍କ ମୃତ୍ୟୁକୁ ନେଇ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳି ଯାଇଛି।

କେନ୍ଦ୍ର ମନ୍ତ୍ରୀ ଟ୍ୱିଟ୍‌ କରି ଲେଖିଛନ୍ତି, ‘‘ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ଅକାଳ ବିୟୋଗରେ ମୁଁ ମର୍ମାହତ । ଦିଲ୍ଲୀପ ଭାଇ ଓଡ଼ିଶା ଗଣମାଧ୍ୟମ ଜଗତରେ ଆର୍ଥିକ କ୍ଷେତ୍ରରେ ସାମ୍ବାଦିକତା ଓ ରାଜନୈତିକ ବିଶ୍ଲେଷଣ କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ତଥା ଗଣମାଧ୍ୟମ ଜଗତକୁ କ୍ଷତି ହୋଇଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ବନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।