ଗଞ୍ଜେଇ ଚାଷକୁ ତଥାଗତଙ୍କ ସମର୍ଥନ

ଭୁବନେଶ୍ୱର: ଗଞ୍ଜେଇ ଚାଷକୁ ଓଡ଼ିଶାରେ ବିଧିବଦ୍ଧ ଭାବେ ସ୍ୱୀକୃତି ମିଳି ପାରି ନ ଥିବାରୁ ଏହି ଚାଷ ପୂର୍ବ ଭଳି ବେଆଇନ ରହିଛି। ଫଳରେ ଔଷଧୀୟ ଗୁଣ ଥିବା ଯୁକ୍ତି ବାଢ଼ି ଅନେକ ଶିଳ୍ପ ସଂସ୍ଥା ଗଞ୍ଜେଇ ଚାଷକୁ ଆଇନ ସଙ୍ଗତ କରିବାକୁ ଦେଇଥିବା ପ୍ରସ୍ତାବକୁ ଆଜି ଖାରଜ କରି ଦେଇଛି ଆଇନ ବିଭାଗ। କିନ୍ତୁ ଏବେ ଏହି ଚାଷ ସପକ୍ଷରେ ବାହାରିଛନ୍ତି  ପୂର୍ବତନ ବିଜେଡି ସାଂସଦ ତଥାଗତ ସତପଥୀ।

ଓଡ଼ିଶାରେ  ଗଞ୍ଜେଇ ଚାଷକୁ ସମର୍ଥନ କରି ତଥାଗତ କହିଛନ୍ତି,  ଗଞ୍ଜେଇର ଅନେକ ଲାଭଦାୟକ ଦିଗ ଅଛି।  କ୍ୟାନ୍‌ସର, ଶ୍ୱାସ ରୋଗ ପାଇଁ ଏଥିରୁ ଔଷଧ ତିଆରି ହୁଏ। ତେବେ ଗଞ୍ଜେଇ ଚାଷର ଆଇନକରଣ ସପକ୍ଷରେ  ନ ଥିବା ମତ ରଖିଛନ୍ତି ଏହି ବରିଷ୍ଠ ନେତା। ଏହି ଚାଷକୁ ଡିକ୍ରିମିନାଲାଇଜେସନ କରିବାକୁ ସେ ଦାବି ଜଣାଇଛନ୍ତି।

ତଥାଗତ ଆହୁରି କହିଛନ୍ତି,  ଏହି ଚାଷ ସହଜ। ଏଥିନିମନ୍ତେ ବେଶି ପାଣି, ଖତ, ସାର ଦରକାର ନାହିଁ। କ୍ଷୁଦ୍ର ଚାଷୀମାନେ ଏହାକୁ ଚାଷ କରି ବିଶେଷ ଲାଭବାନ ହୋଇପାରିବେ। ତେଣୁ ରାଜ୍ୟ ସରକାର ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେବା ଦରକାର।

ଉତ୍ତରାଖଣ୍ଡ ସରକାର ଗଞ୍ଜେଇ ଚାଷକୁ ଅନୁମତି ଦେଇଛନ୍ତି। ଆମ ସରକାର ଏହାକୁ ମନା କରିବା ସଂପୂର୍ଣ୍ଣ ଦୂରଦୃଷ୍ଟିହୀନତା। ଆଇନରେ ସଂଶୋଧନ ଆଣି ଗଞ୍ଜେଇ ଚାଷକୁ ଅନୁମତି ଦେବା ଉଚିତ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।