କାରାଗାରରେ ସେଲଫି ଉଠାଉଛନ୍ତି କଏଦୀ; ଫଟୋ ଭାଇରାଲ

କଟକ: କାରାଗାରରେ ଜେଲ ଦଣ୍ଡ ଭୋଗୁଥିବା କଏଦୀମାନେ ଫଟୋ ଉଠାଉଛନ୍ତି । ତେବେ ସେମାନଙ୍କର ସେଲଫି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚୌଦ୍ୱାର ସର୍କଲ ଜେଲରେ ଥିବା କଏଦୀଙ୍କ କ୍ଷେତ୍ରରେ । ଜେଲ ଭିତରେ ରହି କିଭଳି ସେଲଫି ଉଠାଇପାରୁଛନ୍ତି, ତାହା ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଖବର ଅନୁଯାୟୀ, ଏହି ସମସ୍ତ ଘଟଣା ପଛରେ ଜେଲର ଜଣେ ଅଧିକାରୀଙ୍କ ହାତ ଥିବା ଜଣାପଡିଛି । ଏହି ଅଧିକାରୀ ଜଣଙ୍କ ସେମାନଙ୍କୁ ଫୋନ ଯୋଗାଇବା ସହ ଜେଲରେ କୌଣସି ଦିନ ଚଢ଼ଉ ହୁଏ, ତେବେ ସେ ସେମାନଙ୍କଠାରୁ ଫୋନ ଆଣି ଲୁଚାଇ ଦେଉଛନ୍ତି । ଆଜି ତୃତୀୟ ଥର ପାଇଁ ଵାର୍ଡରେ ଥିବା ପେସାଦାର ଅପରାଧୀ ମାଲ୍‌ଗୋଦାମ ନଦୀକୂଳସାହିର ହାପି ଓରଫ ବିଶ୍ୱଜିତ୍ ମହାନ୍ତିର ସେଲଫି ଭାଇରାଲ୍‌ ହୋଇଛି। ହାପି ଅନ୍ୟ ୪ ସହଯୋଗୀଙ୍କ ସହିତ ୫ ନମ୍ବର ଵାର୍ଡ ବାହାରେ ଓ ଭିତରେ ସେଲ୍‌ଫି ଉଠାଇଛି।

ସୂଚନା ଅନୁଯାୟୀ, ଯୋବ୍ରା ବ୍ୟାରେଜ୍‌ରେ ମାଛ ମରା ଘଟଣାକୁ କେନ୍ଦ୍ରକରି ନଦୀକୂଳ ସାହିର ତପନ ନାୟକକୁ ହତ୍ୟା ଘଟଣାରେ ମାଲଗୋଦାମ ଥାନା ପୁଲିସ ପେସାଦାର ଅପରାଧୀ ହାପି ସମେତ ତାର ଅନ୍ୟ ସହଯୋଗୀଙ୍କୁ ଗିରଫ କରି ଚୌଦ୍ବାର ଜେଲ୍‌କୁ ପଠାଇଥିଲା। ଚୌଦ୍ୱାର ଜେଲରେ ଥିବା ହାପି ଓ ତାର ୪ ସହଯୋଗୀ ଵାର୍ଡ ନମ୍ବର ୫ର ପାହାଚ ପାଖରେ ବସି ମଉଜ କରୁଥିବାର ଗୋଟିଏ ସେଲ୍‌ଫି ଉଠାଇ ସୋସିଆଲ ମିଡିଆରେ ଛାଡ଼ି ଥିବା ବେଳେ ଆଉ ଏକ ସେଲଫି ଵାର୍ଡ ଭିତରେ ଉଠାଇ ଛାଡ଼ିଛନ୍ତି। ଦୁଇଟି ଫଟୋ ହାପି ନିଜ ଆଣ୍ତ୍ରଏଡ୍‌ ଫୋନ୍‌ରେ ଉଠାଇ ବାହାରକୁ ପଠାଇଛି। ୨୦୧୮ ଦଶହରା ସମୟରେ ଦୁର୍ଦ୍ଦାନ୍ତ ରାଜା ଓ ହାଡ଼ିଆ ନିଜ ସେଲଫି ଉଠାଇ ଭାଇରାଲ୍‌ କରିଥିଲେ। ପରେ ଗ୍ୟାଙ୍ଗଷ୍ଟର‌୍‌ ଧଳସାମନ୍ତ ଭାଇଙ୍କ ସହଯୋଗୀ ଆଜକୁ ଠିକ ବର୍ଷକ ତଳେ ୨୦୧୮ ଡିସେମ୍ବର ୨ ତାରିଖରେ ସେଲଫି ଭାଇରାଲ୍‌ କରିଥିଲେ। ଦୀପୁ ଓ ଓମ୍‌ ହତ୍ୟାକାଣ୍ତରେ ସମ୍ପୃକ୍ତ ଧଳସାମନ୍ତ ଭାଇଙ୍କ ୩ ପ୍ରମୁଖ ସହଯୋଗୀ ଦେବାଶିଷ ସାହୁ ଓରଫ ଗୁଡ଼ୁ, ଦେବବ୍ରତ ଦାସ ଓରଫ ଲିପୁ ଏବ˚ ଭାରତ ବେହେରା ଓରଫ ଲିଟୁଙ୍କ ସେଲ୍‌ଫି ଉଠାଇ ଭାଇରାଲ୍‌ କରିଥିଲେ। ବାରମ୍ବାର ଚୌଦ୍ୱାର ସର୍କଲ ଜେଲ୍‌ ଭିତରକୁ ମୋବାଇଲ୍ ଫୋନ୍‌ ଯିବା ଘଟଣା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଓ ନୈତିକତାକୁ ନେଇ ପ୍ରଶ୍ନ ଉଠାଇଛି।