ବଢ଼ୁଛି ବ୍ରାହ୍ମଣୀର ଜଳସ୍ତର: ଏହିସବୁ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ

ରାଉରକେଲା : ଉପର ମୁଣ୍ଡରେ ବର୍ଷା ଯୋଗୁ ରାଉରକେଲା ନିକଟ ଲାଇଙ୍ଗଠାରେ ଥିବା ମନ୍ଦିରା ଡ୍ୟାମ୍‌ର ୧୧ଟି ଗେଟ୍ ଖୋଲା ଯାଇଛି। ଫଳରେ ବ୍ରାହ୍ମଣୀ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ରାଉରକେଲାର ଓ୍ୱାର୍ଡ ନମ୍ବର ୩ରେ ଥିବା ବାଲୁଘାଟ ଅଞ୍ଚଳରେ ପାଣି ପଶିଛି। ଏହି ଅଞ୍ଚଳରେ ୨୦ଟି ପରିବାର ପ୍ରାୟ ୧୦୦ରୁ ଅଧିକ ଲୋକେ ପାଣି ଘେରରେ ଅଛନ୍ତି। ବ୍ରାହ୍ମଣୀ ନଦୀ ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।

ବ୍ରାହ୍ମଣୀ ନଦୀ କୂଳରେ ବସବାସ କରୁଥିବା ଲୋକେ ସତର୍କ ରହିବାକୁ ପ୍ରଶାସନ ଏବଂ ଡ୍ୟାମ୍‌ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ଏହାସହ ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ତେବେ ବଡ଼ ଧରଣର ବନ୍ୟା ହେବ ନାହିଁ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ କହିଛନ୍ତି। ମନ୍ଦିରା ଜଳ ଭଣ୍ଡାରରେ ଜଳ ପତ୍ତନ ବଢ଼ିବାରୁ ରବିବାର ସକାଳେ ୫ଟି ଗେଟ୍ ଖୋଲାଯାଇଥିଲା। ପରେ ସଂଧ୍ୟାରେ ଆଉ ୬ଟି ଗେଟ୍ ଖୋଲାଯାଇଥିଲା।