ଜମ୍ମୁରେ କାଲିଠୁ ଖୋଲିବ ସ୍କୁଲ ଓ କଲେଜ

ନୂଆଦିଲ୍ଲୀ: ଜମ୍ମୁରେ ଅଗଷ୍ଟ ୫ରୁ ଜାରି ହୋଇଥିବା ୧୪୪ ଧାରା ଆଜି ପ୍ରତ୍ୟାହାର କରାଯାଇଛି। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ଆସନ୍ତାକାଲି ଠାରୁ ଜମ୍ମୁରେ ସମସ୍ତ ସ୍କୁଲ ଓ କଲେଜ ଖୋଲିବାକୁ ମଧ୍ୟ କୁହାଯାଇଛି। ହେଲେ ଇଣ୍ଟରନେଟ୍‌ ସେବା ପୂର୍ବ ଭଳି ବନ୍ଦ ରହିଛି।

କେନ୍ଦ୍ର ସରକାର ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ନେଇ ଘୋଷଣା କରିଥିଲେ। ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଜମ୍ମୁ ଓ କଶ୍ମୀରରେ ୪ ତାରିଖ ରାତି ୧୨ଟାରୁ ୧୪୪ ଧାରା ଲାଗୁ କରାଯାଇଥିଲା। ଏଥିସହ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଥିଲା। ହେଲେ ଆଜି ସ୍ଥିତିରେ ସୁଧାର ଆସିବାରୁ ଜମ୍ମୁର ଡେପୁଟି କମିଶନର ସୁଷମା ଚୌହ୍ୱାନଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତିରେ କୁହାଯାଇଛି ଯେ ଏବେ ସବୁ କିଛି ନିୟନ୍ତ୍ରଣାଧୀନ ରହିଛି। ଆଜି ଜମ୍ମୁବାସୀ ଶୁକ୍ରବାର ପ୍ରାର୍ଥନା କରିବା ସହ କୌଣସି ସ୍ଥାନରେ ହିଂସାକାଣ୍ଡ ଘଟାଇ ନାହାନ୍ତି। ସ୍ଥିତିରେ ସୁଧାର ଆସିଥିବାରୁ ଏବେଠାରୁ ଜମ୍ମୁରୁ ୧୪୪ ଧାରା ପ୍ରତ୍ୟାହାର କରାଯାଉଛି। ଆସନ୍ତାକାଲି ଏଠାରେ ଥିବା ସମସ୍ତ ସ୍କୁଲ ଓ କଲେଜ ଖୋଲାଯିବ।

ଆଜିଠାରୁ ଉଦ୍ଧମପୁରଠାରେ ସ୍କୁଲ ଓ କଲେଜ ଖୋଲି ଯାଇଛି। ତେବେ ଜମ୍ମୁର କିଛି ସ୍ଥାନରେ ୧୪୪ ଧାରା ପୂର୍ବଭଳି ବଳବତ୍ତର ରହିବ। ଜମ୍ମୁ ବ୍ୟତୀତ କଠୁଆ ଓ ସାମ୍ବାରୁ ମଧ୍ୟ ୧୪୪ ଧାରା ପ୍ରତ୍ୟାହାର କରାଯାଇଛି। ଜମ୍ମୁ ଅଧୀନରେ ଥିବା ସମସ୍ତ ୧୦ଟି ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ୧୪୪ ଧାରା ଉଠା ଯାଇଥିଲେ ହେଁ ସୁରକ୍ଷା ଦୃଷ୍ଟିରୁ ଇଣ୍ଟରନେଟ୍‌ ସେବା ବନ୍ଦ ରହିବ।”