ଫେବୃୟାରୀ ଯାଏଁ ଅଯୋଧ୍ୟାରେ ୧୪୪ ଧାରା

ନାଗରିକତା ସଂଶୋଧନ ଆଇନକୁ ବିରୋଧର ପ୍ରଭାବ

ଅଯୋଧ୍ୟା: ନାଗରିକତା ସଂଶୋଧନ ଆଇନକୁ ଦେଶର କୋଟି କୋଟି ଜନତା ସମର୍ଥନ ଜଣାଉଥିବା ବେଳେ କିଛି ସ୍ଥାନରେ ଏହାକୁ ବିରୋଧ କରାଯାଉଛି । ଉତ୍ତର ପ୍ରଦେଶ ବ୍ୟତୀତ ଜାତୀୟ ରାଜଧାନୀର ଜାମିୟା ନଗରରେ ମଧ୍ୟ ନାଗରିକତା ଆଇନକୁ ବିରୋଧ କରାଯାଇଛି । ଉତ୍ତର ପ୍ରଦେଶରେ ଏବେବି କିଛି ସ୍ଥାନରେ ନାଗରିକତା ଆଇନକୁ ନେଇ ଚାପା ଉତ୍ତେଜନା ରହିଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ଅନ୍ୟତମ ଆଧ୍ୟାତ୍ମିକ ନଗରୀ ଅଯୋଧ୍ୟାରେ ଧାରା ୧୪୪ ଆଗାମୀ ଫେବୃୟାରୀ ୨୫ ଯାଏଁ ଜାରି ରହିବ ବୋଲି ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି ।

ଅଯୋଧ୍ୟା ଜିଲ୍ଲା ମାଜିଷ୍ଟ୍ରେଟ ଅନିଲ କୁମାର ଝା କହିଛନ୍ତି, ଅଯୋଧ୍ୟାରେ ଶାନ୍ତି ପ୍ରତିଷ୍ଠା ପାଇଁ ଧାରା ୧୪୪କୁ ଆଗାମୀ ଫେବୃୟାରୀ ୨୫ ପର୍ଯ୍ୟନ୍ତ ବଳବତ୍ତର ରଖାଯିବ । ସୂଚନାଯୋଗ୍ୟ ନାଗରିକତା ସଂଶୋଧନ ବିଲ ଆଇନରେ ପରିଣତ ହେବା ପରେ ଉତ୍ତରପ୍ରଦେଶରେ ହିଂସା ଦେଖାଯାଇଥିଲା । ଏହି ଆଇନ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ନିର୍ଯାତିତ ହୋଇ ଯେଉ ହିନ୍ଦୁ, ଶିଖ, ଜୈନ, ପାର୍ସି, ବୌଦ୍ଧ ଓ ଖ୍ରୀଷ୍ଟିଆନମାନେ ୨୦୧୪ ଡିସେମ୍ବର ୩୧ରୁ ରହିଆସୁଛନ୍ତି, ସେମାନଙ୍କୁ ଭାରତର ନାଗରିକତା ଦିଆଯିବ ।