ଖଲ୍ଲିକୋଟରେ ନିର୍ବାଚନୀ ହିଂସାକୁ ନେଇ ଘଟଣାସ୍ଥଳରେ ୧୪୪ ଧାରା ଜାରି

ଖଲ୍ଲିକୋଟରେ ନିର୍ବାଚନୀ ହିଂସା । ପୋଲିସ ଗାଡ଼ିକୁ ବୋତଲ, ପଥର ମାଡ଼ । ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ ପୋଲିସ ଗାଡ଼ିକୁ ଘେରିଲେ ଲୋକେ । ପୋଲିସ ଗାଡ଼ିକୁ ପଥର ମାଡ଼ ସହ ପାଣି ବୋତଲ ମାଡ଼ ହୋଇଛି । ପଥର ମାଡ଼ରେ ପୋଲିସ ଭ୍ୟାନ୍‌ର କାଚ ଭାଙ୍ଗି ଯାଇଛି । ଏହାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଛି ।

ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁରରେ  ନିର୍ବାଚନୀ ହିଂସା ମାମଲାରେ ପୋଲିସ ୮ ଘଣଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ । ଉତ୍ତ୍ୟକ୍ତ ଲୋକେ ଥାନା ଘେରାଉ କରିବା ସହିତ ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ । ଘଟଣାସ୍ଥଳରେ ୧୪୪ ଧାରା ଜାରି ହୋଇଛି ।

ଅନ୍ୟପଟେ ଗଞ୍ଜାମ ଏସପି କହିଛନ୍ତି, ଖୁବଶୀଘ୍ର ଅନ୍ୟ ସମସ୍ତଙ୍କୁ ଗିରଫ କରାଯିବ। ନିର୍ବାଚନ ସମୟରେ ହିଂସାକୁ ପ୍ରସୟ ଦିଆଯିବ ନାହିଁ । ଯେଉଁଠି ଯାହାର ସମସ୍ୟା ଅଛି ସେମାନେ ସିଧା ଫୋନ କରି ସମସ୍ୟା ସମ୍ପର୍କରେ କହିପାରିବେ । ପୋଲିସ ତୁରନ୍ତ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବ ବୋଲି ଏସ୍‌ପି କହିଛନ୍ତି। ଗତକାଲି ରାତିରେ ପୋଷ୍ଟର ବ୍ୟାନର ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ୪ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି । ଏହାକୁ ନେଇ ଖଲ୍ଲିକୋଟରେ ଉତ୍ତେଜନା ପ୍ରକାଶ ପାଇଛି । ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ପୋଲସର ମୃଦୁ ଲାଠି ଚାଳନା କରିଥିଲା।

ଏହା ପୂର୍ବରୁ ମଧ୍ୟ ଗଞ୍ଜାମରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦିନ ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗାହୀ ଏବଂ ବ୍ରହ୍ମପୁର ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଶିବଶଙ୍କର ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ପ୍ରଦୀପ ପାଣିଗ୍ରାହୀଙ୍କ ଛାତିରେ ଆଘାତ ଲାଗିଥିଲା । ଘଟଣାରେ ପୋଲିସ ଶିବଶଙ୍କରଙ୍କୁ ଗିରଫ କରିଛି ।

ସେପଟେ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଗଞ୍ଜାମ ଜିଲ୍ଲାରେ ପ୍ରାକ ନିର୍ବାଚନୀ ହିଂସାକୁ ଆୟତ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଶୀଘ୍ର ସେଠାରେ ଶାନ୍ତି ପ୍ରତିଷ୍ଠା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।