ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଠାରୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି । ରାଜ୍ୟସଭା ନିର୍ବାଚନ ସହ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ପାରିତ ହେବ । ୧୨ରୁ ବିଭାଗ ଅନୁଯାୟୀ ଆଲୋଚନା ହେବ । ଯାହାକି ସରକାରୀ ଦଳ ପାଇଁ ଏହା ବଡ ଚ୍ୟାଲେଞ୍ଜର ବିଷୟ ହେବ ।
କାରଣ ବିରୋଧୀ ଜଗନ୍ନାଥଙ୍କ ଅନୁଦାନ ରାଶି ୟେସ୍ ବ୍ୟାଙ୍କରେ ଜମା ରଖିବା ଏବଂ କୃଷକ ସମସ୍ୟାକୁ ନେଇ ସରକାରଙ୍କୁ ଘେରିବେ । ସେପଟେ ବିରୋଧୀଙ୍କୁ ସାମ୍ନା କରିବା ଏବଂ ରାଜ୍ୟସଭା ନିର୍ବାଚନରେ ୪ଟି ଯାକ ସିଟ୍ ଜିତିବା ପାଇଁ ରଣନୀତି କରିଛି ବିଜେଡି ।
ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ସରକାରଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏପଟେ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ । ଶ୍ରୀମନ୍ଦିରର ଜମାରାଶି ୟେସ ବ୍ୟାଙ୍କରେ ଡିପୋଜିଟ ପ୍ରସଙ୍ଗକୁ ନେଇ ବିରୋଧୀ ଘେରିବାକୁ ସଜବାଜ ହୋଇଛନ୍ତି । ଏହାସହ ରେଳବାଇ ଜମି ଅଧିଗ୍ରହଣ, କୃଷକ ସମସ୍ୟା ଏବଂ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ କାଠଗଡାକୁ ଟାଣିବାକୁ ଉଦ୍ୟମ କରିବେ ବିରୋଧୀ । ପ୍ରଥମ ପ୍ରର୍ଯ୍ୟାୟ ଅଧିବେଶନରେ କୃଷକ ସମସ୍ୟା, ବିଦ୍ୟୁତ୍ ତାର ଲାଗି ବସ୍ରେ ୧୧ ଜଣଙ୍କ ମୃତ୍ୟୁକୁ ନେଇ ସରକାରଙ୍କୁ ନାକେଦମ କରିଥିଲେ । ତେଣୁ ଏହି ଅଧିବେଶନରେ ବିରୋଧୀଙ୍କୁ ସାମ୍ନା କରିବା ପାଇଁ ସୁଚିନ୍ତିତ ରଣନୀତି କରିଛି ବିଜେଡି ।
ଆସନ୍ତା ୩୧ରେ ବ୍ୟୟ ମଞ୍ଜୁରୀ ବିଲ ଆଗତ ହେବାକୁ ଥିବାବେଳେ ୨୬ରେ ରହିଛି ରାଜ୍ୟସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୪ରୁ ଆରମ୍ଭ ହୋଇ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିଥିଲା ।