ଝାଡ଼ଖଣ୍ଡ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ: ୨୦ଟି ଆସନ ପାଇଁ ମତଦାନ ଜାରି

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ଶନିବାର ପୂର୍ବାହ୍ନ ୭ଟାରେ ଆରମ୍ଭ ହୋଇଯାଇଛି । ମତଦାନ ସନ୍ଧ୍ୟା ଯାଏଁ ଜାରି ରହିବ । ଏଥିରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଜାମସେଦପୁର ପୂର୍ବ ଆସନ ମଧ୍ୟ ସାମିଲ ଅଛି । ତାଙ୍କ ବିରୋଧରେ ସରଯୁ ରାୟ ନିର୍ବାଚନ ପଡ଼ିଆରେ ଅବତୀର୍ଣ୍ଣ ହୋଇଛନ୍ତି । କଂଗ୍ରେସ ଟିକେଟରେ ପ୍ରଫେସର ଗୌରବ ବଲ୍ଲବ ନିର୍ବାଚନ ଲଢ଼ିଛନ୍ତି । ଏଠାରେ ତ୍ରିମୁଖୀ ଲଢ଼େଇ ହେବ ।

ରାଜ୍ୟର ୨୦ଟି ଆସନରେ ୨୬୦ ଜଣ ପ୍ରାର୍ଥୀ ଲଢ଼େଇ କରୁଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ ଚୌବେ କହିଛନ୍ତି, ୨୦ଟି ବିଧାନସଭା ଆସନରେ ମୋଟ ୪୮, ୨୫, ୦୩୮ ଜଣ ଭୋଟର ଅଛନ୍ତି । ଏଥିରେ ୨୩,୯୩,୪୩୭ ଜଣ ମହିଳା ଓ ୯୦ ଜଣ ତୃତୀୟ ଲିଙ୍ଗି ବୋଲି ସେ ସୂଚନା ଦେଇଛନ୍ତି । ମତଦାତାମାନେ ଆଜି ୬,୦୬୬ଟି ବୁଥରେ ଭୋଟ ଦେବେ । ଏଥିରୁ ୧,୦୧୬ଟି ବୁଥ ସହରାଞ୍ଚଳରେ କରାଯାଇଛି ।

ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେ କହିଛନ୍ତି, ମତଦାନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ମତଦାନ କେନ୍ଦ୍ରଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି । ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଶେଷ କରି ନକ୍ସଲ ପ୍ରଭାବିତ ମତଦାନ କେନ୍ଦ୍ର ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡ ବିଧାନସଭା ୮୧ ଜଣ ସଦସ୍ୟକୁ ନେଇ ଗଠିତ ହୋଇଛି । ରାଜ୍ୟରେ ୫ଟି ପର୍ଯ୍ୟାୟରେ ମତଦାନ ହେବ । ଡିସେମ୍ବର ୨୦ରେ ମତଦାନ ଶେଷ ହେବାର ୨ ଦିନ ପରେ ଅର୍ଥାତ ଡିସେମ୍ବର ୨୩ରେ ମତଦାନର ଫଳାଫଳ ବାହାରିବ । ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଅରୋରା କହିଛନ୍ତି ଯେ, ଝାଡ଼ଖଣ୍ଡର ୬୭ଟି ଆସନ ଅତି ସମ୍ବେଦନଶୀଳ ଅଟେ ।