ବିଭିନ୍ନ ସରକାରୀ ଅନୁଷ୍ଠାନକୁ ତଦାରଖ କଲେ ଶକ୍ତିସଚିବ

ବ୍ରହ୍ମପୁର: ରାଜ୍ୟ ଶକ୍ତି ବିଭାଗ ସଚିବ ବିଷ୍ଣୁପଦ ସେଠୀ ବୁଧବାର ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ବିଦ୍ୟୁତ୍ ବିଭାଗ, ଶିକ୍ଷା ବିଭାଗ, ପଂଚାୟତିରାଜ, ହସ୍ପିଟାଲ ଆଦି ବିଭିନ୍ନ ସରକାରୀ ଅନୁଷ୍ଠାନ ପରିଦର୍ଶନ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ । ବୁଧବାର ସକାଳ ୯ଟାବେଳେ ସେ ଗୋପାଳପୁର ସର୍କିଟ ହାଉସରୁ ବାହାରି ପଥରା ଗ୍ରାମ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିବା ସହ ମମତା ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ପରେ ବ୍ରହ୍ମପୁର ମହାନଗର ନିଗମ ଅଂଚଳର ହିଲପାଟଣା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ବିଦ୍ୟାଳୟରେ ଉତମ ଶୈକ୍ଷିକ ବାତାବରଣ ରହିଥିବା ଶ୍ରୀ ସେଠୀ ଗଣମାଧ୍ୟମକୁ କହିଛନ୍ତି । ବିଦ୍ୟାର୍ଥୀ, ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରୁ ସୁସମ୍ପର୍କ ରହିଥିବା ସେ କହିଛନ୍ତି । ପରେ ସ୍ଥାନୀୟ ବିଦ୍ୟୁତପୁରୀ କଲୋନୀ ଯାଇ ସେଠାରେ ସଦ୍ୟ ନିର୍ମିତ ବିଦ୍ୟୁତ୍ ସବଷ୍ଟେସନର କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ସେଠାରୁ ଲାଞ୍ଜିଆ ଗ୍ରାମକୁ ଯାଇ ମନରେଗା ଯୋଜନାରେ ଚାଲିଥିବା ଗ୍ରାମପଂଚାୟତ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ଦେଖିଥିଲେ ।

ସେଠାରୁ ଟିକରପଡା ଯାଇ ସେଠାକାର କଲ୍ୟାଣପଣ୍ଡପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଏହା ବ୍ୟତୀତ ସେଠାରେ ମନରେଗା ଯୋଜନାରେ ଚାଲିଥିବା ଚାରାରୋପଣ କାର୍ଯ୍ୟ ଦେଖିଥିଲେ । କୁକୁଡାଖଣ୍ଡିସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ବୁଲି ଦେଖିଥିଲେ । ସେଠାରୁ ଗୋଦରାପଲ୍ଲୀ ଯାଇ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତ୍ ଯୋଜନାର ସଫଳ ରୂପାୟନ ନେଇ ଅନୁଧ୍ୟାନ କରିଥିଲେ । କଂଚୁରୁଠାରେ ମନରେଗା ଯୋଜନାରେ ନିର୍ମାଣ ହୋଇଥିବା ଗୋଶାଳା କାର୍ଯ୍ୟ ମଧ୍ୟ ସେ ଅନୁଧ୍ୟାନ କରିଥିଲେ । ସେଠାର ୁ ଏସ୍ ଆମ୍ବଗାଁ ଠାରେ ବିଜୁ ପଟ୍ଟନାୟକ ଗ୍ରାମୀଣ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତା ଅନୁଧ୍ୟାନ କରିଥିଲେ । ସେହିପରି ରାଳବ ଗ୍ରାମକୁ ଯାଇ ଗ୍ରାମର ଜଳ ଯୋଗାଣ ଯୋଜନା, ଉଠା ଜଳସେଚନ ଯୋଜନା ଏବହ ପାନବରଜ ବୁଲି ଦେଖିଥିଲେ ।

ସେଠାରୁ ହିଞ୍ଜିଳିକାଟୁ ଯାଇ ସେଠାରେ ଥିବା ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କରିଥିଲେ । ମଧ୍ୟାହ୍ନରେ ହିଞ୍ଜିଳିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଆବାସ, ଇନଡୋର ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ, ଆଦର୍ଶ ମାଛବଜାର, ହସ୍ପିଟାଲର ନୂତନ କୋଠା, ନୂଆ ବସଷ୍ଟାଣ୍ଡ ଆଦି ପରିଦର୍ଶନ କରିଥିଲେ । ସେଠାରୁ ବୁରୁପଡା ଯାଇ ମନରେଗା ଯୋଜନାରେ ନିର୍ମିତ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଦେଖିଥିଲେ । ସେହିଭଳି ସମରଝୋଳଠାରେ ନୂତନ ଭାବେ ନିର୍ମିତ ଭାବେ ମାର୍ଗେଟ କମ୍ପେ୍ଲକ୍ସ ବୁଲି ଦେଖିଥିଲେ ।