ଆସନ୍ତାକାଲି ଭାରତ ବନ୍ଦ: ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ୱର: ଆସନ୍ତାକାଲି ଭାରତ ବନ୍ଦ । ତେବେ ଭାରତ ବନ୍ଦ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି ଶିକ୍ଷା ବିଭାଗର ଅତିରିକ୍ତ ସଚିବ ।

ଏନ୍‌ଡିଏ ସରକାରଙ୍କ ‘ଦମନକାରୀ ନୀତି’ପ୍ରତିବାଦରେ ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତାକାଲି ୨୪ଘଂଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ଦେଶବ୍ୟାପୀ ବିଭିନ୍ନ କୃଷକ ସଂଗଠନ ସମର୍ଥନ ସହ କଂଗ୍ରେସ ନୈତିକ ସମର୍ଥନ ଦେବେ ବୋଲି ମଧ୍ୟ କହିଛନ୍ତି। ତେବେ ଭାରତ ବନ୍ଦ ଯୋଗୁଁ ସାରା ଦେଶରେ ରେଳ ଓ ବ୍ୟାଙ୍କିଙ୍ଗ୍ ସହ ବିଭିନ୍ନ ସେବା ପ୍ରଭାବିତ ହେବ । ତେଣୁ ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି ।

ଶ୍ରମିକ ସଂଗଠନ ସିଟୁର ସାଧାରଣ ସଂପାଦକ ତପନ ସେନ ସୂଚନା ଦେଇଛନ୍ତି ଯେ ଅସଂଗଠିତ, ବ୍ୟାଙ୍କିଙ୍ଗ୍ ଏବଂ ବୀମା କ୍ଷେତ୍ର କର୍ମଚାରୀ , ବନ୍ଦର ଶ୍ରମିକ ଦେଶବ୍ୟାପୀ ଏହି ଧର୍ମଘଟରେ ସାମିଲ ହେବ। ଦେଶର ଆର୍ଥିକ ସଙ୍କଟ, ଦରଦାମ ବୃଦ୍ଧି ଏବଂ ବେରୋଜଗାର ପ୍ରସଙ୍ଗରେ ଏହି ବନ୍ଦ ପାଳନ କରାଯିବ ବୋଲି ଜଣାପଡିଛି ।

ସେହିଭଳି ଆମ ରାଜ୍ୟରେ ମଧ୍ୟ ଆସନ୍ତାକାଲି ଭାରତ ବନ୍ଦକୁ ସଫଳ କରିବା ପାଇଁ , ୧୨ ଦଫା ଦାବି ନେଇ ଧର୍ମଘଟ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସ୍ୱାଧୀନ ଫେଡରେସନ ମିଳିତ ମଂଚ ।  ବେକାରୀ, ବେରୋଜଗର, ଶ୍ରମ ଆଇନ କୋ ଅଡିଫିକେସନ, ଦରଦାମ ବୃଦ୍ଧି, ସର୍ବନିମ୍ନ ବେତନ ବୃଦ୍ଧି ,ସାମାଜିକ ସୁରକ୍ଷା ଭଳି ୧୨ ଦଫା ଦାବିରେ ୨୪ ଘଂଟିଆ ବନ୍ଦ ଡାକରା ଦେଇଛି ମିଳିତ ମଂଚ । ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ରେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛି ଏହି ମଂଚ ।