କୋଭିଡ୍ ଗାଇଡଲାଇନ୍ ସହ ଖୋଲିଲା ସ୍କୁଲ; ଅଭିଭାବକଙ୍କ ଅନୁମତି ନେଇ ସ୍କୁଲ ଯିବେ ପିଲା

ନୂଆଦିଲ୍ଲୀ : କରୋନା କଟକଣା ଭିତରେ ଆଜିଠୁ ଦେଶର ବିଭିନ୍ନ ରାଜ୍ୟରେ ଖୋଲିଛି ସ୍କୁଲ୍। ଅନଲକ୍ ୪ର ଗାଇଡଲାଇନ୍ ଅନୁଯାୟୀ ଆସାମ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, ମେଘାଳୟ ଓ ନାଗାଲାଣ୍ଡରେ ସ୍କୁଲ ଖୋଲିଛି। ତେବେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ସ୍କୁଲ ଯିବାକୁ ଅନୁମତି ମିଳିଛି।

ଅନଲକ୍ ୪ ଗାଇଡଲାଇନରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସ୍କୁଲ୍ ଖୋଲିବା ନେଇ ଘୋଷଣା କରିଥିଲା। କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ନିଜ ଅଭିଭାବକଙ୍କ ଅନୁମତି ନେଇ ସ୍କୁଲ ଆସିପାରିବେ ବୋଲି କୁହାଯାଇଥିଲା। ଏହି ଗାଇଡଲାଇନକୁ କେତେକ ରାଜ୍ୟ ମାନି ସ୍କୁଲ ଖୋଲିଥିବାବେଳେ ବାକି ରାଜ୍ୟମାନେ ଏପର୍ଯ୍ୟନ୍ତ ନିଜ ରାଜ୍ୟରେ ସ୍କୁଲ୍ ଖୋଲିବାକୁ ଅନୁମତି ଦେଇନାହାନ୍ତି।

କେନ୍ଦ୍ର ସରକାରଙ୍କ ନିୟମାବଳୀ

  • କେବଳ କଣ୍ଟେନମେଣ୍ଟ୍ ଜୋନ ବାହାରେ ଥିବା ଶିକ୍ଷକ ଓ ଛାତ୍ରଛାତ୍ରୀ ସ୍କୁଲ୍ ଆସିପାରିବେ।
  • ସ୍କୁଲ ଆସିବାକୁ ହେଲେ ଅଭିଭାବକଙ୍କ ଲିଖିତ ଅନୁମତି ଓ ଶିକ୍ଷକଙ୍କ ପରାମର୍ଶ ଆବଶ୍ୟକ
  • ସ୍କୁଲର ଅଧା ଶିକ୍ଷକ ଓ ଅଣ ଶିକ୍ଷକ ସ୍କୁଲରେ ଉପସ୍ଥିତ ରହିବେ
  • ପୂର୍ବଭଳି ଅନଲାଇନରେ ପାଠପଢ଼ା ଓ ଅନ୍ୟ କାମ ଚାଲୁ ରହିବ
  • ସ୍କୁଲ୍ ଆସିବା ସମୟରେ ପିଲାମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ।
  • ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସ୍କୁଲରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ

ତେବେ ଓଡ଼ିଶା ସରକାର ପୂଜା ଛୁଟି ପୂର୍ବରୁ ସ୍କୁଲ ଖୋଲିବ ନାହିଁ ବୋଲି ଘୋଷଣା କରିସାରିଛନ୍ତି। ତେଣୁ ପୂଜା ଛୁଟି ପରେ ଯାଇ ଓଡ଼ିଶାରେ ସ୍କୁଲ୍ ଖୋଲିବ ବୋଲି କୁହାଯାଇଛି। ସ୍କୁଲ ଖୋଲିଲେ କୋଭିଡ୍ ଗାଇଡଲାଇନ୍ ପାଳନ କରି ପିଲାମାନେ ସ୍କୁଲ୍ ଆସିବେ।