ଭୁବନେଶ୍ୱର: ଏଣିକି ଶିକ୍ଷକଙ୍କୁ ମିଳିବନି ଗ୍ରୀଷ୍ମଛୁଟି । ଗ୍ରୀଷ୍ମ ଅବକାଶରେ ସେମାନେ ନେବେ ସ୍ୱତନ୍ତ୍ର କ୍ଲାସ । ଦୁର୍ବଳ ଛାତ୍ରଙ୍କୁ ସ୍ୱତନ୍ତ୍ର କ୍ଲାସ ନେଇ ପାଠପଢ଼ାଇବେ ଶିକ୍ଷକ ବୋଲି ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ସେ ଆହୁରି କହିଛନ୍ତି, ଆଗାମୀ ଗ୍ରୀଷ୍ମଛୁଟିରେ ଶିକ୍ଷକମାନେ ସଂପୂର୍ଣ୍ଣ ଛୁଟି ନେଇପାରିବେ ନାହିଁ । ଏହି ସମୟରେ ବିଦ୍ୟାଳୟର ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ସେମାନେ ପାଠ ପଢ଼ାଇବେ। ଅଭିଭାବକମାନେ ଚାହିଁ ଥାଆନ୍ତି କି ସେମାନଙ୍କ ପିଲାମାନଙ୍କୁ କିଭଳି ଅଧିକ ଗୁରୁତ୍ବର ସହ ପାଠପଢ଼ାଯାଉ। ତେଣୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଘରୋଇ ବିଦ୍ୟାଳୟ ତୁଳନାରେ ସରକାରୀ ବିଦ୍ୟାଳୟରେ ମାଟ୍ରିକ୍ ପାସ୍ ହାର କମ୍ ରହୁଛି। ଏହି ସମସ୍ୟା ଦୂର କରିବା ଲାଗି ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ପାଠ ପଢ଼ାଯିବା ଜରୁରୀ ହୋଇପଡ଼ିଛି । ଏହାକୁ ନଜରରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ବ୍ୟବସ୍ଥା ଆରମ୍ଭ କରାଯାଇଛି।
ତେବେ ଶିକ୍ଷାର ମାନବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଦର୍ଶାଇଛନ୍ତି। ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ବିଷୟଭିତିକ ସାମର୍ଥ୍ୟ ପ୍ରଶିକ୍ଷଣ ଦିଆଯାଉଛି। ୨୯ଟି ଜିଲ୍ଲାରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଶିକ୍ଷା ଦକ୍ଷତା ବୃଦ୍ଧି ପାଇଁ ‘ଉତ୍କର୍ଷ’ କାର୍ଯ୍ୟକ୍ରମ ଚାଲୁଛି। ଆଇସିଟି ଆଟ୍ ସ୍କୁଲ କାର୍ଯ୍ୟକ୍ରମ ମାଧ୍ୟମରେ ଇ-କଂଟେଂଟ ସାହାଯ୍ୟରେ ଶ୍ରେଣୀରେ ପାଠ୍ୟଦାନ କରାଯାଉଛି। ସରକାରୀ ଉଚ୍ଚ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ, ବିଜ୍ଞାନାଗାର, ପାଠାଗାର ଓ କମ୍ପ୍ୟୁଟର୍ ଗୃହ ପ୍ରତିଷ୍ଠା ହୋଇଛି। ଛାତ୍ରଛାତ୍ରୀଙ୍କ ସୃଜନୀଶକ୍ତିର ବିକାଶ ପାଇଁ ଜିଲ୍ଲାସ୍ତରରେ ବିଜ୍ଞାନମେଳା ଓ ପୁସ୍ତକ ମେଳା ହେଉଛି। ଉଚ୍ଚ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କ ବୈଷୟିକ ଓ ପ୍ରୟୋଗାତ୍ମକ ଜ୍ଞାନର ଅଭିବୃଦ୍ଧି ପାଇଁ ସାଇନ୍ସ ଆଣ୍ଡ୍ ମ୍ୟାଥ୍ କିଟ୍ ଯୋଗାଇ ଦିଆଯାଉଛି। ଉଚ୍ଚ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦକୁ ଦୃଷ୍ଟିରେ ରଖି ନିୟମିତ ଶିକ୍ଷାଦାନ ପାଇଁ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଅତିଥି ଶିକ୍ଷକ ଭାବେ ନିୟୋଜିତ କରାଯାଉଛି।