କାର୍ଯ୍ୟକାରୀ ହୋଇନି ବସ୍ତାନି ବୋଝ ଆଇନ: କ୍ଷୁବ୍ଧ ହେଲେ ହାଇକୋର୍ଟ

ଭୁବନେଶ୍ୱର:ସ୍କୁଲରେ ବସ୍ତାନି ବୋଝ ନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ନୂଆ ନିୟମ ଲାଗୁ କରିବାକୁ ମାସେ ପୂରିଲାଣି । କିନ୍ତୁ କୈାଣସି ବିଦ୍ୟାଳୟରେ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ । ସ୍କୁଲ ଗୁଡ଼ିକ ବସ୍ତାନି ବୋଝ ନିୟମ ମାନୁନଥିବା ନେଇ  କ୍ଷୁବ୍ଧ ହୋଇଛନ୍ତି ହାଇକୋର୍ଟ । 

ସ୍କୁଲ ଗୁଡ଼ିକ ବସ୍ତାନି ବୋଝ ନିୟମ ମାନୁନଥିବା ଦର୍ଶାଇ ହାଇକୋର୍ଟରେ ଏକ ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର । ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ହାଇକୋର୍ଟ ଚେତାବନୀ ଦେଇଛନ୍ତି । ଏହା ସହ ବସ୍ତାନି ବୋଝ ଆଇନ କଡ଼ାକଡ଼ି ନହେଲେ ଆବେଦନକାରୀ ସେହି ସ୍କୁଲ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବୟସ କମ ଥିବା ବେଳେ ସ୍କୁଲ ବ୍ୟାଗର ଓଜନ ପିଲାଙ୍କ ଓଜନ ଠାରୁ ଅଧିକ ହୋଇ କୋମଳମତି ସେମାନଙ୍କ ପାଇଁ ବୋଝ ସାଜୁଛି । ବସ୍ତାନି ବୋଝ ଆଇନ କଡ଼ାକଡ଼ି କରିବା ସହ ଜିଲ୍ଲାପାଳମାନେ ସ୍କ୍ୱାର୍ଡ଼ ଜରିଆରେ ତଦାରଖ କରିବାକୁ ଅଗଷ୍ଟ ୨ଠାରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଥିଲେ ।\nବିଦ୍ୟାଳୟ ବସ୍ତାନି ଆଇନ ଅନୁସାରେ ସ୍କୁଲ ବ୍ୟାଗ ଓଜନ ନେଇ ଗାଇଡ଼ଲାଇନ ମଧ୍ୟ ଜାରି କରାଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ପାଇଁ ଦେଢ କେଜିରୁ କମ ଓଜନ ରହିବ । ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ୨ରୁ ୩କେଜି ବ୍ୟାଗ ଓଜନ ଓ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ ୪କେଜିରୁ କମ ରହିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦେଇଥିଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।