ଆସନ୍ତାକାଲି ସୁପ୍ରିମକୋର୍ଟରେ ଉନ୍ନାଓ ପୀଡ଼ିତାଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର ଦୁର୍ଘଟଣା ଓ ସୁରକ୍ଷା ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆସନ୍ତାକାଲି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। କାର୍‌ ଦୁର୍ଘଟଣାର ୧୫ ଦିନ ପୂର୍ବରୁ ପୀଡ଼ିତାଙ୍କ ପରିବାର ଲୋକ ଜେଲରେ ଥିବା ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସେନଗାରଙ୍କ ସମର୍ଥକମାନେ ତାଙ୍କୁ ଧମକ ଦେଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଥିଲେ।

ତେବେ ଏହା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ପାଖରେ ପହଞ୍ଚି ପାରି ନଥିଲା। ଆଜି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଛନ୍ତି, “ସୁପ୍ରିମକୋର୍ଟ ଉନ୍ନାଓ ପୀଡ଼ିତାଙ୍କ ପରିବାର ଲୋକେ ଲେଖିଥିବା ଚିଠିର ଶୁଣାଣି କରିବେ। ଆମେ ଏଭଳି ବିଶୃଙ୍ଖଳା ପରିସ୍ଥିତିରେ କିଛି ଶୃଙ୍ଖଳାଗତ ପଦକ୍ଷେପ ଗ୍ରହଣ କରିବାକୁ ଚେଷ୍ଟା କରିବୁ। ଦୁର୍ଭାଗ୍ୟବଶତଃ ପୀଡ଼ିତାଙ୍କ ପରିବାର ଲୋକଙ୍କ ଚିଠି ସମୟ ପୂର୍ବରୁ ଆମ ପାଖରେ ପହଞ୍ଚି ପାରିଲାନାହିଁ। ମୁଁ ଆଜି ଖବରକାଗଜରୁ ଏହା ପଢ଼ିଲି।” ଶିଶୁ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କୁ ସହଯୋଗ କରିବାକୁ ନିଯୁକ୍ତ ହୋଇଥିବା ଆମିକ୍ସ କ୍ୟୁରୀ ତଥା ବରିଷ୍ଠ ଓକିଲ ଭି ଗିରି ପ୍ରଥମେ ଏହି ମାମଲା ପ୍ରଧାନ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଜରୁରୀ ଶୁଣାଣି ପାଇଁ କହିଥିଲେ। ସୁପ୍ରମକୋର୍ଟ ଆସନ୍ତାକାଲିର ଶୁଣାଣି ପୂର୍ବରୁ ଉତ୍ତର ପ୍ରଦେଶ ପ୍ରଶାସନକୁ ଉନ୍ନାଓ ପୀଡ଼ିତାଙ୍କ ଷ୍ଟାଟସ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ରବିବାର ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ତାଙ୍କ ସମ୍ପର୍କୀୟ ଏବଂ ଓକିଲଙ୍କ ସହ ଯାଉଥିବା ବେଳେ ରାଏବରେଲୀଠାରେ ତାଙ୍କ କାରକୁ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ପୀଡ଼ିତାଙ୍କ ଜଣେ ଖୁଡ଼ୀ ଓ ମାଉସୀଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ଆହତ ପୀଡ଼ିତା ଏବେ ଭେଣ୍ଟିଲେଟରରେ ରହିଛନ୍ତି।