ଏସସି/ଏସଟି ସଂଶୋଧନ ଆଇନକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ; ଅଭିଯୋଗ ଆସିଲେ ଗିରଫଦାରୀ, ଅଗ୍ରୀମ ଜାମିନ ନାହିଁ

ନୂଆଦିଲ୍ଲୀ: ଏସସି/ଏସଟି ସଂଶୋଧନ ଆଇନ ୨୦୧୮କୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଯାହାଫଳରେ କେନ୍ଦ୍ର ସରକାରଙ୍କୁ ମିଳିଛି ବଡ ଆଶ୍ବସ୍ତି। ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ବିନୀତ ଶରଣ ଓ ଜଷ୍ଟିସ ରବିନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଛି ।

ବର୍ତମାନ ଏସସି/ଏସଟି ସଂଶୋଧନ ଆଇନ ଅନୁସାରେ, ଅଭିଯୋଗ ଆସିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହ ଅଗ୍ରୀମ ଜାମିନ ମିଳିବ ନାହିଁ । ୨୦ ମାର୍ଚ୍ଚ ୨୦୧୮ରେ କୋର୍ଟ ଅନୁସୂଚିତ ଜାତି/ଜନଜାତି ଆଇନର ଦୁରୂପଯୋଗକୁ ନେଇ ସୁପ୍ରିମକୋର୍ଟ ଏଫଆଇଆର ଓ ଗିରଫ ଉପରେ ରୋକ ଲଗାଇଥିଲେ ।

ଏହା ସହ ସାମ୍ବିଧାନକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଯାଚିକା ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଯାହାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ଆଇନ ଅନୁଯାୟୀ ଗିରଫଦାରୀ ଉପରେ କୌଣସି ପ୍ରାଥମିକ ଯାଂଚ ଜରୁରୀ ନୁହେଁ । ଏପରିକି ଏହି ମାମଲାରେ ଏଫଆଇଆର ରୁଜୁ କରିବା ପାଇଁ ମଧ୍ୟ କୌଣସି ଅଧିକାରୀଙ୍କ ଅନୁମତି ଅନିର୍ବାର୍ଯ୍ୟ ରହିବ ନାହିଁ । ସେପଟେ, ମାମଲା ରୁଜୁ ହୋଇଥିବା ବ୍ୟକ୍ତି ଏଫଆଇଆର ରଦ୍ଦ କରିବାକୁ ହାଇକୋର୍ଟ ଯାଇପାରିବେ ।